୫୦ ହଜାର ଟଙ୍କାରୁ ଅଧିକ ଥିଲେ ଜବତ ହେବ

ଚମ୍ପୁଆ: ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ବ୍ୟକ୍ତି ନିଜ ପାଖରେ ସର୍ବାଧିକ ୫୦ ହଜାର ଟଙ୍କା ରଖିପାରିବେ। ଯଦି କୌଣସି ବ୍ୟକ୍ତିଙ୍କ ନିକଟରୁ ୫୦ ହଜାରରୁ ଅଧିକ ଟଙ୍କା ମିଳେ ତେବେ ତାହାକୁ ଜବତ କରିବା ପାଇଁ ଉପଜିଲ୍ଲାପାଳ ପାରୁଲ ପଟୱାରୀ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସକା‌ଳ ୧୦ଟା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ। ଚମ୍ପୁଆ ରାଜ୍ୟର ବ୍ୟୟବହୁଳ ନିର୍ବାଚନମଣ୍ତଳୀ ଭାବେ ପରିଚିତ। ନିର୍ବାଚନରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେ। ଏହାକୁ ଦୃଷ୍ଟିରେ ରଖି ଉଭୟ ପାଟଣା ଓ ଚମ୍ପୁଆ ନିର୍ବାଚନମଣ୍ତଳୀରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ। ସହରକୁ ଆସୁଥିବା ପ୍ରତିଟି ଗାଡ଼ିକୁ ଭଲଭାବେ ଯାଞ୍ଚ କରିବାକୁ ଫ୍ଲାଇଂସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବେଆଇନ ମଦ କାରବାର ଉପରେ ରୋକ୍‌ ଲଗାଇବା ସହ ଅସ୍ତ୍ରଶସ୍ତ୍ର, ବନ୍ଧୁକ କିମ୍ବା ଗୁଳିଗୋଳା ଯଦି କୌଣସି ଗାଡ଼ିରୁ ମିଳେ ତାହାକୁ ଜବତ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବ୍ୟକ୍ତିଙ୍କ ନିକଟରୁ ୧୦ ଲକ୍ଷରୁ ଅଧିକ ଟଙ୍କା ମିଳିଲେ ତୁରନ୍ତ ଆୟକର ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିବାକୁ କୁହାଯାଇଛି। ବୈଠକରେ ପାଟଣା ଓ ଚମ୍ପୁଆ ନିର୍ବାଚନମଣ୍ତଳୀର ଫ୍ଲାଇଂସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର