ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ

ଘଟଗଁା: ଘଟଗଁା ଥାନା ବାଲିପୋଖରୀ ପଞ୍ଚାୟତର ଜନୈକା ବାପ‌ଛେଉଣ୍ଡ ୧୩ ବର୍ଷୀୟ ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣାକୁ ୨ ସପ୍ତାହ ବିତିଲାଣି। ହେଲେ ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିନି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ଆଦିବାସୀ ସେଲ୍‌ ପକ୍ଷରୁ ଥାନା ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଗତ ଅକ୍ଟୋବର ୨୬ ତାରିଖରେ ଦୁର୍ଗା କନ୍‌ଷ୍ଟ୍ରକସନ କମ୍ପାନିର ଡ୍ରାଇଭର ବିଶୁ ମହାରଣା ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଏ‌ନେଇ ୨୭ ତାରିଖରେ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ପୁଲିସ ମାମଲା ରୁଜୁ କରିନଥିଲା। ପରେ ଗତ ୩ ତାରିଖରେ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ତଦନ୍ତରେ ଶିିଥିଳତା ପରିଲକ୍ଷିତ ହୋଇଛି। ଏଣୁ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଗିରଫ ହୋଇପାରୁ ନାହାନ୍ତି ବୋଲି କଂଗ୍ରେସ ଆଦିବାସୀ ସେଲ୍‌ ଅଭିଯୋଗ କରିଛି। ବିଜେଡି ସରକାରର ଗଁା’କୁ କାମ ମା’କୁ ସମ୍ମାନ ନାରା ପ୍ରହସନ ପାଲଟିଛି। ପୁଲିସ କମ୍ପାନି ସହ ହାତ ମିଳାଇ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଉଛି ବୋଲି ରାଜ୍ୟ ପିସିସି ଆଦିବାସୀ ସେଲ୍‌ ସାଧାରଣ ସମ୍ପାଦକ ବିଦ୍ୟାଧର ଦେହୁରୀ କହିଥିଲେ। କେନ୍ଦୁଝର ଜିଲ୍ଲା ପାଇଁ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଛି ବୋଲି ଆଦିବାସୀ ସେଲ୍ ଅଭିଯୋଗ କରିଛି। ଆଗାମୀ ଦିନରେ ଏସ୍‌ପି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଥାନା ଘେରାଉରେ ଜିଲ୍ଲା ଆଦିବାସୀ ସେଲ୍‌ ସଭାପତି ଶିବଶଙ୍କର ମାର୍ଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ ବିଦ୍ୟାଧର ଦେହୁରୀ, ରମାକାନ୍ତ ପାତ୍ର, ଦଳିତ ସେଲ୍ ଅଧ୍ୟକ୍ଷ ଦେବେନ୍ଦ୍ରନାଥ ନାଏକ, ଉପାଧ୍ୟକ୍ଷ ଗୌରହରି ନାଏକ, ଘଟଗଁା ଜୋନ୍‌ ସଭାପତି ଦିଲ୍ଲୀପ କୁମାର ବଳ, ଉପସଭାପତି ବିଶ୍ବନାଥ ବେଜ, ସାଧାରଣ ସମ୍ପାଦକ ବିଜୟ ଶତପଥୀ, ନରେନ୍ଦ୍ର ନାଏକ, ରାଜ୍ୟ ଆଦିବାସୀ କଂଗ୍ରେସ ସଂଯୋଜକ ମୋହନ ଚରଣ ହେମ୍ବ୍ରମ, ଡିସିସି ସମ୍ପାଦିକା କବିତା ମାଝୀ, ଘଟଗଁା ଆଦିବାସୀ କଂଗ୍ରେସ ସଭାପତି ଧନେଶ୍ବର ନାଏକ, ଡିସିସି ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ବେହେରା ସାମିଲ ହୋଇଥିିଲେ।

ସମ୍ବନ୍ଧିତ ଖବର