ଠିକାକାମକୁ ନେଇ ବିଜେଡି ସମର୍ଥକଙ୍କ ଲଙ୍କାକାଣ୍ଡ : ପୋଡ଼ିଦେଲେ ଜେସିବି; ଆକ୍ରମଣରେ ଠିକାଦାର ଲହୁଲୁହାଣ

ଆନନ୍ଦପୁର : ଜଳସମ୍ପଦ ବିଭାଗର ଏକ ଠିକାକାମକୁ ନେଇ ବିଜେଡି ସମର୍ଥକମାନେ ଶନିବାର ଲଙ୍କାକାଣ୍ଡ ଘଟାଇଛନ୍ତି। ଘସିପୁରା ଥାନା ରାଇପୁର ଗ୍ରାମ ନିକଟରେ କେନାଲ କାମ ଚାଲିଥିବା ବେଳେ ବିଜେଡି ସମର୍ଥକମାନେ ଠିକାସଂସ୍ଥାର ଏକ ଜେସିବିକୁ ପୋଡ଼ି ଦେବା ସହିତ ଠିକାଦାର ନୀଳମଣି ସେଠୀ (୫୨)ଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ନୀଳମଣିଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଜଳ ସମ୍ପଦ ବିଭାଗର ରାଇପୁରଠାରେ କେନାଲ ମରାମତି କାମ ପାଇଁ ୨୫ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ଟେଣ୍ଡର ଲାଗି ବିଜେଡି ଓ ସନା ସମର୍ଥକଙ୍କ ମଧ୍ୟରେ ବଳ କଷାକଷି ହୋଇଥିବା ବେଳେ ସନା ସମର୍ଥକମାନେ ଏହାକୁ ହାତେଇ ନେଇଥିଲେ। ଫଳରେ ଆଜିଠାରୁ କାମ ଆରମ୍ଭ ହୋଇଥିଲା। ପୂର୍ବାହ୍ନରେ କାମ ଠିକ୍‌ଠାକ୍‌ ଚାଲିଥିବା ବେଳେ ମଧ୍ୟାହ୍ନ ଦୁଇଟା ବେଳେ ସେଠାରେ ଥିବା ସନା ସମର୍ଥକ ଖାଇବାକୁ ଆସିଥିଲେ। ଏହି ସମୟରେ ବରିପାଳ ଅଞ୍ଚଳର କିଛି ବିଜେଡି ସମର୍ଥକ ନିର୍ମାଣ ସ୍ଥଳରେ ପହଞ୍ଚି କାମକୁ ବିରୋଧ କରିବା ସହିତ ମୋଟା ଅଙ୍କର ଚାନ୍ଦା ମାଗିଥିଲେ। ବଟି ନମିଳିବାରୁ ସେମାନେ ଏକ ଜେସିବିକୁ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। କାମ ତଦାରଖ ଦାୟିତ୍ୱରେ ଥିବା ଠିକାଦାର ନୀଳମଣି ଏହାର ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରି ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ନୀଳମଣିଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଘସିପୁରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରିବା ସହିତ ଆହତ ନୀଳମଣିଙ୍କ ବୟାନ୍‌ ରେକର୍ଡ କରିଛି। ତେବେ ଏହି ଘଟଣାରେ ପୁଲିସ୍‌ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ।

ସମ୍ବନ୍ଧିତ ଖବର