ଅଙ୍ଗାରୁଆରେ ଭାଲୁ ଆତଙ୍କ

ରାମଚନ୍ଦ୍ରପୁର: ଆନନ୍ଦପୁର ବନଖଣ୍ତ ଅନ୍ତର୍ଗତ ବରାଙ୍ଗ ସରକ୍ଷିତ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମରେ ସଞ୍ଜ ନଇଁଲେ ଭାଲୁ ଭୟରେ ଲୋକେ ଜଡ଼ସଡ଼ ହୋଇଯାଉଛନ୍ତି। ଭାଲୁ ଲୋକଙ୍କ ବାଡ଼ିବଗିଚାରେ ପଶି ବରକୋଳି, ବେଲ ଓ ଗଛରେ ଥିବା ମହୁଫେଣା ଭାଙ୍ଗି ଖାଉଥିବା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଙ୍ଗାରୁଆ ଗ୍ରାମର ମହିରଂଜନ କରଙ୍କ ବାଡ଼ିରେ ଦୁଇଟି ଭାଲୁ  ପଶି କୋଳି ଖାଉଥିଲେ। ଘର ଲୋକେ ଦେଖି ପାଟି କରିବାରୁ ଭାଲୁ ଦୁଇଟି ଗର୍ଜନ ଛାଡ଼ି ଗାଁ ରାସ୍ତାରେ ଏଣେତେଣେ ଦୌଡ଼ିଥିଲେ। ଏହା ଶୁଣି ଲୋକେ ଆତଙ୍କିତ ହୋଇଯାଇଥିଲେ। ଭୟରେ ଲୋକଙ୍କ ତାଟିକବାଟ ପଡ଼ିଯାଇଥିଲା। କୌଣସି ଅଘଟଣ ଘଟିବା ପୂର୍ବରୁ ଅନ୍ଧାରରେ ଭାଲୁ ଦୁଇଟି ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲେ। ସନ୍ଧ୍ୟା ସମୟରୁ ଭାଲୁ ଗାଁ ମୁହାଁ  ହେଉଥିବାରୁ ନିକଟବର୍ତ୍ତୀ ଗାଁଗଣ୍ଡାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମର ଯୁବକମାନେ ମିଶି ଗ୍ରାମରେ ପହରା ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର