ହରିଚନ୍ଦନପୁର: ଚତୁର୍ଥୀ ଭୋଜିରେ କନ୍ୟା ମଥାରୁ ପୋଛି ହୋଇଗଲା ସିନ୍ଦୂର। ଦଇବ ସହିଲାନି। ଚତୁର୍ଥୀ ଭୋଜିରେ ହେଲା ବଜ୍ରାଘାତ। ବନ୍ଦ ହୋଇଗଲା ଭୋଜି। ବର ଚାଲିଗଲେ ଆରପାରିକୁ। ବଜ୍ରପାତରେ ଆଉ ୮ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଗ୍ରାମ କଟଘାଟି ସାହିରେ ଗତକାଲି ଘଟିଥିଲା ଏହି ଦୁଃଖଦ ଘଟଣା। ବର ଜିତେନ୍ଦ୍ର ମୁର୍ମୁ (୩୦)ଙ୍କର ମୃତ୍ୟୁ ପରେ ଶୋକସାଗରରେ ବୁଡ଼ିଯାଇଛି ଏହି ଦୁର୍ଗମ କଟଘାଟି ସାହି। ଆଜି ଦିନ ୧୦ଟା ପରେ ଆନନ୍ଦପୁର ଡାକ୍ତରଖାନାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ପରେ ଗାଁକୁ ନିଆଯାଇ ଶୋକାକୁଳ ପରିବେଶରେ ଶେଷକୃତ୍ୟ କରାଯାଇଥିବା ଖବର ମିଳିଛି। ଏହି ପରିବେଶରେ କନ୍ୟା ମଧ୍ୟ ବିଦାୟ ନେଇଛି ଗାଁରୁ। କନ୍ୟାଙ୍କୁ ତାଙ୍କ ପିତାମାତା ପୁଣି ନିଜ ଗାଁକୁ ନେଇଯାଇଛନ୍ତି।
ଅପରପକ୍ଷେ ଆଜି ବ୍ଲକ ପ୍ରଶାସନ ମଧ୍ୟ ବିପନ୍ନଙ୍କ ଘରେ ପହଞ୍ଚି ସହାୟତା ଦେଇଛି। ହରିଚନ୍ଦନପୁର ବିଡିଓ ଉମାକାନ୍ତ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶମ୍ଭୁନାଥ ରାଉତ, ଜିପିଇଓ ଶମ୍ଭୁନାଥ ଖମାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଗା ପ୍ରସାଦ ମୁର୍ମୁ ଓ ପୂର୍ବତନ ସରପଞ୍ଚ ଦୁଃଖବନ୍ଧୁ ମୁର୍ମୁ କଟଘାଟିକୁ ଯାଇ ହରିଶଚନ୍ଦ୍ର ଯୋଜନାରେ ପରିବାର ଲୋକୁ ୨ହଜାର ଟଙ୍କା ପ୍ରଦାନ କରିଥିଲେ। ଏଥି ସହିତ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଡିଓ ସୂଚନା ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିତେନ୍ଦ୍ର ମୁର୍ମୁ ଗତ ୧୩ ତାରିଖରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳର ସୁନିଆ ଦୁଲାରି ବାସ୍କେ(୨୩)ଙ୍କୁ ବିବାହ କରିଥିଲେ। ଗତକାଲି ଅପରାହ୍ଣ ୪ଟା ୩୫ରେ ଚତୁର୍ଥୀ ଭୋଜି ଚାଲିଥିଲାବେଳେ ବଜ୍ରପାତ ହୋଇଥିଲା। ସେତେବେଳେ ଜିତେନ୍ଦ୍ର ମୁର୍ମୁ ଘର ପିଣ୍ଡାରେ ବସି ଖାଉଥିଲେ। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ତାଙ୍କ ଘରେ ସୋଲାର ପାନେଲ ଲାଗିଥିଲା। ସେଠାରୁ ଏକ ଜିଆଇ ତାର ପାଖ ପଣସ ଗଛ ଦେଇ ଘରର ଏକ ବୋର୍ଡକୁ ଯାଇଥିଲା। ବଜ୍ରପାତରେ ଏହି ଜିଆଇ ତାର ଜଳିଯାଇଥିଲା। ଫଳରେ ସେଠାରେ ଥିବା ସମସ୍ତେ ବଜ୍ରାଘାତର ଶିକାର ହୋଇଥିଲେ। ବର ଜିତେନ୍ଦ୍ର ଜିତେନ୍ଦ୍ର ମୁର୍ମୁ (୩୦) ଙ୍କ ସମେତ ସାନଭାଇ ମୁନା ମୁର୍ମୁ (୨୦), ଭଉଣୀ ମାଳତୀ ମୁର୍ମୁ(୧୧), ବନ୍ଧୁଘର ଘସିପୁରା ବ୍ଲକର ଫଗୁ ହାସଦା (୩୦) ସୁଲୋଚନା ହାସଦା(୩୦), ଗୀତା ମୁର୍ମୁ(୧୮), ରୀତା ମୁର୍ମୁ(୧୬), ସୀତା ମୁର୍ମୁ(୧୪) ଓ ସରସ୍ବତୀ ସୋରେନ (୧୩) ଗୁରୁତର ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେଶଦୁରାପଳ ଓ ପରେ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଜିତେନ୍ଦ୍ର ମୁର୍ମୁ ଆଖିବୁଜିଥିଲେ।
ବଜ୍ରପାତରେ ବର ମୃତ୍ୟୁ ଘଟଣା...:ଶୋକାକୁଳ ପରିବେଶରେ ଶେଷକୃତ୍ୟ
କନ୍ୟା ଫେରିଗଲେ ନିଜ ଗାଁକୁ
/sambad/media/post_attachments/wp-content/uploads/2019/05/keo1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)