ଆନନ୍ଦପୁର:ଆନନ୍ଦପୁର ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ରାତି ଅଧରେ ମାଡ଼। ରୋଗୀ ସମ୍ପର୍କୀୟଙ୍କ ମାଡ଼ରେ ପ୍ରସୂତି ବିଶେଷଜ୍ଞ ଡାକ୍ତର ରବିନାରାୟଣ ସେନାପତି ଆହତ ହୋଇଥିବା ବେଳେ ଏହାକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅଭିଯୋଗ ଅନୁସାରେ, ଗତକାଲି ରାତି ଗୋଟାଏ ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ସେହି ସମୟରେ ଡାକ୍ତର ରବିନାରାୟଣ ସେନାପତି ଅନ୍ୟ ରୁମ୍ରେ ବିଶ୍ରାମ ନେଉଥିବା ଦେଖି ସାଙ୍ଗରେ ଆସିଥିବା ଯୁବକମାନେ ଉତ୍କ୍ଷିପ୍ତ ଡାକ୍ତରଙ୍କୁ ଗାଳିଗୁଲଜ କରିଥିଲେ। ଡାକ୍ତର ସେନାପତି ଏହାର ପ୍ରତିବାଦ କରିବାରୁ ଯୁବକମାନେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ଡାକ୍ତର ସଙ୍ଗେ ସଙ୍ଗେ ପୁଲିସ୍କୁ ଖବର ଦେଇଥିବା ବେଳେ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ। ଆଜି ଏହି ଘଟଣା ପ୍ରଚାର ହେବା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଡାକ୍ତର ଓ କର୍ମଚାରୀମାନେ ଧାରଣାରେ ବସିଥିଲେ। ଆକ୍ରମଣର ଶିକାର ହୋଇଥିବା ଡାକ୍ତର ସେନାପତିଙ୍କ ସହିତ ଡାକ୍ତର କୃଷ୍ଣଚନ୍ଦ୍ର ଦାଶ, ଡାକ୍ତର ଉଦୟ ଭାସ୍କର ପଣ୍ଡା, ଡାକ୍ତର ପ୍ରମୋଦ କୁମାର ବେହେରା, ଡାକ୍ତର ସପନ କୁମାର ଦାଶ, ଡାକ୍ତର ଭିକାରୀ ଚରଣ ପାଇକରାୟ, ଡାକ୍ତର ଦିଲ୍ଲୀପ କୁମାର ନାୟକ, ଡାକ୍ତର ସୁବ୍ରତ ଚିନାରା, ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ସାହୁ, ଦେବରାଜ ସାହୁ, ଷ୍ଟାଫନର୍ସ ରଶ୍ମିତା ବାରିକ, ପ୍ରଣତି ସାହୁ, ପୁଷ୍ପଲତା ଦେ, ଚନ୍ଦ୍ରିକା ସାହୁ, କନକଲତା ବିଶ୍ୱାଳ, ସୀମା ବରାଳ, କଲ୍ୟାଣୀ ସ୍ୱାଇଁ, ସସ୍ମିତା ଦାସ, ଭାଗ୍ୟଲକ୍ଷ୍ମୀ ଦାସ, ନିରୁପମା ନାୟକ, କୁନି ସାହୁ, ଇତିଶ୍ରୀ ପରିଡ଼ା, ପ୍ରଭାତୀ ସାହୁ, ମାଳତୀ ମହାପାତ୍ର, ସବିତା ଦାସ, ପ୍ରୀତିପ୍ରଭା ମାଝି, କନକ ନାୟକ, ମମତାରାଣୀ ଜେନାଙ୍କ ସମେତ ସମସ୍ତ କର୍ମଚାରୀ ଡାକ୍ତରଖାନା ସମ୍ମୁଖରେ ଦିନ ୧୦ଟାରୁ ଧାରଣାରେ ବସିଥିଲେ। ଆକ୍ରମଣକାରୀଙ୍କୁ ଗିରଫ କରିବା ତଥା ଡାକ୍ତରଖାନାରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ଡାକ୍ତରମାନେ ଦାବି କରିଥିଲେ। ଦିନ ସାଢେ ୧୨ଟାରେ ଘସିପୁରା ଥାନା ପୁଲିସ୍ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଡାକ୍ତର ଓ କର୍ମଚାରୀମାନେ ଆନ୍ଦୋଳନରୁ ହଟିଥିଲେ।