କରଞ୍ଜିଆ/କରଞ୍ଜିଆ ଗୋଲେଇ : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ତତ୍କାଳୀନ ଘଟଗାଁ ଥାନା ଆଇଆଇସି ଦିଲ୍ଲୀପ ସାହୁ ହତ୍ୟାକାଣ୍ଡ ମାମଲାର ଆଜି ରାୟ ପ୍ରକାଶ ପାଇଛି। କରଞ୍ଜିଆ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁଶୀଲ କୁମାର ରାଉତ ଏସ୍ଟି କେସ୍ ନଂ. ୨୦୭ ଆଇପିସି ଦଫା ୩୦୨, ୩୦୭, ୩୯୪, ୨୯୮, ୧୨୦ (ବି), ୨୫, ୨୭ ଆର୍ମଡ୍ ଆକ୍ଟ, ଦଫା ୪ ଓ ୫ (ବିସ୍ଫୋରକ ପଦାର୍ଥ ରଖିବା)ରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ଦୋଷୀଙ୍କଠାରୁ ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ କରଞ୍ଜିଆ ସହରର ଗଡ଼ସାହି ନିବାସୀ କମଳାକାନ୍ତ ମାଟିଆଣ ଓରଫ ଉଲ୍ଲା(୪୦), ସେକ୍ ରାଜୁ(୪୦), ବାରିଆ ଥାନା ନନ୍ଦପୁର ଗ୍ରାମର ସନ୍ତୋଷ ଲୋହାର(୪୦) ଓ ରରୁଆଁ ଥାନା ସାନ୍ତାବନ୍ଧ ଗାଁର ବିଭୂତି ନାୟକ ଓରଫ ପାଗଲା(୩୮)।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ, ଗତ ୨୦୧୪ ମସିହା ଫେବ୍ରୁଆରି ୨୨ ତାରିଖରେ କରଞ୍ଜିଆର ଜୋତା ବ୍ୟବସାୟୀ ମନୋଜ ଦାସ ଓ ତାଙ୍କ ପୁତୁରା ସତୀଶ ଦାସ ଢେଙ୍କିକୋଟ ହାଟରୁ ବ୍ୟବସାୟ ସାରି ଗାଡ଼ି (ଓଆର୍-୦୯-ଏନ୍-୩୧୩୪) ଯୋଗେ ଘରକୁ ଫେରୁଥିଲେ। ସେମାନଙ୍କୁ ଲୁଟ୍ କରିବାକୁ କମଳାକାନ୍ତ ଯୋଜନା କରିଥିବା ତତ୍କାଳୀନ ଘଟଗାଁ ଥାନା ଆଇଆଇସି ଦିଲ୍ଲୀପ ସାହୁ ସୂଚନା ପାଇଥିଲେ। ଏନେଇ ଶ୍ରୀସାହୁ ମନୋଜଙ୍କୁ ଅବଗତ କରିଥିଲେ। ପରେ ଏକ ସ୍କ୍ବାଡ୍ ଗଠନ କରି ସାଦା ପୋଷାକରେ ସେହି ଗାଡ଼ିରେ ଶ୍ରୀସାହୁ ଆସିଥିଲେ। କରଞ୍ଜିଆ ଦେଓନଦୀ ପାର୍ ହେବା ପରେ ହଠାତ୍ ୪/୫ ଜଣ ଗାଡ଼ିକୁ ଅଟକାଇ ବୋମା ମାଡ଼ କରିଥିଲେ। ଗାଡ଼ିଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଗାଡ଼ିରୁ ଆଇଆଇସି ଶ୍ରୀସାହୁଙ୍କ ସମେତ ମନୋଜ ଓ ତାଙ୍କ ପୁତୁରା ସତୀଶ ଓହ୍ଲାଇବା ମାତ୍ରେ ସେମାନଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚାଳନା କରିଥିଲେ। ଗୋଟିଏ ଗୁଳି ଦିଲ୍ଲୀପଙ୍କ ଜଙ୍ଗରେ ବାଜିଥିବା ବେଳେ ଆଉ ଗୋଟିଏ ଗୁଳି ସତୀଶଙ୍କ ଗୋଡ଼ରେ ବାଜିଥିଲା। ପଛରେ ଆସୁଥିବା ଆର୍ମଡ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଆଇଆଇସି ଶ୍ରୀସାହୁ ଓ ସତୀଶଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲକୁ ନେଇଥିଲେ। ସେଠାରେ ଶ୍ରୀସାହୁଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ ତତ୍କାଳୀନ କରଞ୍ଜିଆ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଘଟଣାର ତନାଘନା କରି ବିଭୂତିକୁ ଏକ ହାଟରୁ ଧରିଥିଲେ। ତା ପାଖରୁ ପୁଲିସ ବନ୍ଧୁକ ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା। ବିଭୂତିର ବୟାନକୁ ଭିତ୍ତି କରି ଅନ୍ୟ ୩ ଜଣ କମଳାକାନ୍ତ, ସେକ୍ ରାଜୁ ଓ ସନ୍ତୋଷକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଥିଲା। ଏନେଇ କନେଷ୍ଟବଳ ଚନ୍ଦନ କୁମାର ଚକ୍ରଙ୍କ ଅଭିଯୋଗମୂଳେ କରଞ୍ଜିଆ ଥାନା କେସ ନଂ. ୨୧/୧୪ରେ ମାମଲା ରୁଜୁ କରିଥିଲା।
ଏହି ମାମଲା କରଞ୍ଜିଆ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ୫୭ ଜଣ ସରକାରୀ ସାକ୍ଷୀ ଓ ଅଭିଯୁକ୍ତଙ୍କ ପକ୍ଷରୁ ୬ ଜଣ ସଫେଇ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହିତ ୨୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ବର୍ଷେ ଅଧିକ ସଶ୍ରମ କାରାଦଣ୍ଡ, ୩୦୭ ଦଫାରେ ୧୦ ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୬ ମାସ ଅଧିକ କାରାଦଣ୍ଡ, ୩୯୪ ଦଫା ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ବର୍ଷେ ଜେଲ ଦଣ୍ଡ, ଦଫା ୩୯୮ରେ ୭ ବର୍ଷ ସଶ୍ରମ ଜେଲଦଣ୍ଡ ଓ ୧୨୦ (ବି) ଦଫାରେ ୪ ବର୍ଷ କାରାଦଣ୍ଡ ସହିତ ୨ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୩ ମାସ କାରାଦଣ୍ଡ, ୨୫ ଆର୍ମଡ୍ ଆକ୍ଟ ଅନୁଯାୟୀ ୩ ବର୍ଷ ସହିତ ହଜାରେ ଜରିମାନା ଓ ଜରିମାନା ଅନାଦେୟ ଏକ ମାସ କାରାଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି। ଏହାବ୍ୟତୀତ ୪ ବିସ୍ଫୋରକ ଆକ୍ଟ ଅନୁଯାୟୀ ୧୦ ବର୍ଷ ସହିତ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ବର୍ଷେ କାରାଦଣ୍ଡ, ୫ ଦଫାରେ ୧୦ ବର୍ଷ ଜେଲ ସହିତ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ସମସ୍ତ ଆସାମୀ ଉପରୋକ୍ତ କାରାଦଣ୍ଡ ଏକ ସାଙ୍ଗରେ ଭୋଗ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହିତ ମୃତ ଦିଲ୍ଲୀପ ସାହୁଙ୍କ ପରିବାରକୁ ଲକ୍ଷେ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।