ଦିଅଁ ନଥାଇ ମନ୍ଦିର! ବାଟ ହୁଡ଼ିଛି ଆୟୁର୍ବେଦ ଚିକିତ୍ସା ସେବା‌, କେବେ ଖୋଲୁନି କାଞ୍ଜିପାଣି ଚିକିତ୍ସାଳୟ

କେନ୍ଦୁଝ : ଦୁଇଦିନ ପୂର୍ବରୁ ୫-ଟି ସଚିବଙ୍କ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକୁ ନେଇ ଢେର୍‌ ତମ୍ବିତୋଫାନ ହେଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏସି, ପଙ୍ଖାଠୁ ଆରମ୍ଭ କରି ରାସ୍ତା ମରାମତି ବି ହୋଇଗଲା। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡି ଦେଲେ ଜିଲ୍ଲାର ଅନ୍ୟ ପ୍ରାନ୍ତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଆୟୁବେର୍ଦିକ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ବହୁତ ସାଂଘାତିକ।

କେନ୍ଦୁଝର ଜିଲ୍ଲାରେ ରହିଛି ୪୯ଟି ଆୟୁର୍ବେଦିକ ଚିକିତ୍ସାଳୟ। ଏଥିପାଇଁ ୪୯ ଜଣ ଡାକ୍ତରଙ୍କ ମଧ୍ୟରୁ ଏବେ ଅଛନ୍ତି ମାତ୍ର ୨୦ ଜଣ। ସେ ମଧ୍ୟରୁ ୪ ଜଣ ଡାକ୍ତର ‌ଡେପୁଟେସନରେ ପୁରୀ ଓ ବଲାଙ୍ଗୀର ସ୍ଥିତ ଆୟୁର୍ବେଦ ଚିକିତ୍ସା ମହାବିଦ୍ୟାଳୟକୁ ଯାଇଛନ୍ତି। ଫଳରେ ପ୍ରତି ଦୁଇ ତିନିଟି ଡାକ୍ତରଖାନା ପାଇଁ ଜଣେ ଲେଖାଏଁ ଡାକ୍ତର ଦାୟିତ୍ବରେ ରହି ପାଳି କରି କାମ ତୁଲାଉଛନ୍ତି। ପରିସ୍ଥିତି ଏମିତିରେ ଏହି ଡାକ୍ତରଖାନାକୁ ଜଣେ ଜଣେ ପିଅନ ଖୋଲି ସମୟ ଦେଖି ବନ୍ଦ କରି ଦିଅନ୍ତି।ଯଦି କେବେ ଏହି ପିଅନ ଅନୁପସ୍ଥିତ ରୁହନ୍ତି ଡାକ୍ତରଖାନାରେ ସଂପୂର୍ଣ୍ଣ ତାଲା ପଡ଼ିଥାଏ। ସେହିପରି ଏକ ଉଦାହରଣ ହେଉଛି କାଞ୍ଜିପାଣି ଆୟୁର୍ବେଦ ଚିକିତ୍ସାଳୟ। ବାଂଶପାଳ ବ୍ଲକର ଜଙ୍ଗଲ ଓ ପାହାଡ ଘେରା ସବୁଠୁ ବଡ଼ ଘାଟି ଅଞ୍ଚଳରେ ଏହି ଆୟୁର୍ବେଦ ଚିକତ୍ସାଳୟ ଅବସ୍ଥିତ। ଏଠାରେ କେହି ଡାକ୍ତର ନାହାନ୍ତି। ଜଣେ ପିଅନ ଦାୟିତ୍ବରେ ରହିଛନ୍ତି। ଡାକ୍ତର ନ ଥିବାରୁ ରୋଗୀ ମଧ୍ୟ ଆସୁ ନାହାନ୍ତି ।

ଆଜି ‘ସମ୍ବାଦ’ର ଏକ ଟିମ୍‌ ଏହି ଚିକିତ୍ସାଳୟରେ ପହଞ୍ଚିବା ବେଳେ ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା ଝୁଲୁଥିଲା। ଏ ସଂପର୍କରେ ନିକଟସ୍ଥ କୁଆଁର ଗ୍ରାମର ସତ୍ୟ ରଞ୍ଜନ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଆୟୁର୍ବେଦ ଚିକିତ୍ସାଳୟ କେବେ ଖୋଲି ଥିବା ଆମେ ଦେଖି ନାହୁଁ। ତେଣୁ ଚିକିତ୍ସା ହେବା ପାଇଁ ସେଠାକୁ କେହି ଯାଆନ୍ତି ନାହିଁ। ଜିଲ୍ଲାର ଅନ୍ୟ ଆୟୁର୍ବେଦିକ ଚିକିତ୍ସାକେନ୍ଦ୍ରରେ ଉଣା ଅଧିକେ ସମାନ ସ୍ଥିତି। ସେ ମଧ୍ୟରୁ ବ୍ରହ୍ମପୁର କରଞ୍ଜିଆ, ବାରିଆ, ଚକ୍ରଧରପୁର, ଚମକପୁର, ବାମେବାରୀ, ମାଲଦା, ସରୁଆଳି, ପଡାଙ୍ଗ, ଶିବନାରାୟଣପୁର ଗୋଡା, ନୟାକୋଟ, ଗୋଳାବନ୍ଧ, ତୁରୁମୁଙ୍ଗା, ଗୁଣ୍ଡଳା, ପିଠାଗୋଳା, ମିଶିମାଳ, ଜମାହୁଦା, କୋଡପଡା, ଗୟଳମୁଣ୍ଡା, ବାଉଁଶଗଠ, ପଦ୍ମପୁର(ଆନନ୍ଦପୁର), କଂ‌ସକେନ୍ଦୁଆ, ଅଳତି, ତରୁଆଁ, ଓରାଳି, ଗିରିଗାଁ, ବଡ଼ରମ୍ପାସ, ପଢ଼ିଆରିପଲ୍ଲୀ, ଚମ୍ପୁଆରେ ଥିବା ଆୟୁର୍ବେଦ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି। ୨୯ ଜଣ ଡାକ୍ତର ପଦବି ଫାଙ୍କା ପଡ଼ିଥିଲେ ବି ଏହାକୁ ପୂରଣ କରିବା ଦିଗରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। କେବେ କେବେ ଡେପୁଟେସନରେ ଥିବା ଡାକ୍ତର ଆସି ଚିକିତ୍ସାଳୟ ଖୋଲୁଥିଲେ ବି ରୋଗୀ ଜାଣି ପାରନ୍ତିନି। ଏ ସଂପର୍କରେ ଆମେ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ଯୋଗେନ୍ଦ୍ର କୁମାର ନାୟକ କହିଛନ୍ତି, ଜିଲ୍ଲାର ଆୟୁର୍ବେଦ ଚିକିତ୍ସାଳୟରେ ମୋଟ ୪୯ଟି ଡାକ୍ତରଙ୍କ ମଧ୍ୟରୁ ୨୯ଟି ଡାକ୍ତର ପଦବି ଖାଲି ପଡ଼ିଛି। ଫଳରେ ଅଧିକାଂଶ ଡାକ୍ତରଖାନାକୁ ନିୟମିତ ଡାକ୍ତର ଯାଇ ପାରନ୍ତି ନାହିଁ।

ସମ୍ବନ୍ଧିତ ଖବର