କାଳ ହେଲା ଜାମୁକୋଳି ଖିଆ, ବେକରେ ପଶିଲା ଡାଳ: ୪ ଘଣ୍ଟାର ଅପରେସନ୍‌ ପରେ ବଞ୍ଚିଲା ବିଷ୍ଣୁର ଜୀବନ

କଟକ: କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ଥ ଧାଙ୍ଗଡଡିହା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ଏକ ଜାମୁକୋଳି ଗଛରେ ଚଢ଼ିଥିବା ବେଳେ ଅଘଟଣ ଘଟି ୧୨ ବର୍ଷିୟ ବାଳକ ବିଷ୍ଣୁ ମହାକୁଡ଼ ଶରୀରରେ ଏକ ମୁନିଆ ଡାଳ ପଶିଯାଇଥିଲା। ବାଳକରେ ବାମପଟ କାଖବାଟେ ଡାଳଟି ପଶି ଛାତି ଦେଇ ବେକ ନିକଟରେ ବାହାରିଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି କେନ୍ଦୁଝର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏବେ କଟକ ବଡ଼ ଡାକ୍ତରଖାନାରୁ ଆସିଛି ଖୁସୀ ଖବର। ଦୀର୍ଘ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ଡାଳଟି ତାଙ୍କ ଶରୀରରୁ ବାହାର କରାଯାଇଛି। ବର୍ତ୍ତମାନ ବିଷ୍ଣୁ ମହାକୁଡ଼ ବିପଦମୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଡା.ମନୋଜ କୁମାର ପଟ୍ଟନାୟକ କହିଛନ୍ତି, ‘ବାଳକକୁ ଆଶୁ ଚିକିତ୍ସା ବିଭାଗରେ ଦେଖିବା ପରେ ତୁରନ୍ତ ଅସ୍ତ୍ରୋପଚାର କରିବା ନିଷ୍ପତ୍ତି ନେଇଥିଲୁ। ଏହାପରେ ତାଙ୍କୁ ସର୍ଜରି ବିଭାଗକୁ ସ୍ଥାନାନ୍ତର କରାଯାଇ ସଙ୍ଗେ ସଙ୍ଗେ ଅସ୍ତ୍ରୋପଚାର କରାଯାଇଥିଲା। ପରେ ୭୨ ଘଣ୍ଟା ପର୍ଯ୍ୟବେକ୍ଷଣରେ ରୋଗୀଙ୍କୁ ରଖାଯାଇଛି। ଯେହେତେୁ ଡାଳଟି ତାଙ୍କର ହୃତପିଣ୍ଡ ନିକଟ ଦେଇ ଶ୍ୱାସନଳୀ ପାଖରେ ବାହାରି ଥିଲା, ତେଣୁ ଖୁବ୍‌ ସାବଧାନତାର ସହ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏବେ ସେ ବିପଦମୁକ୍ତ।’

ସୂଚନା ଅନୁଯାୟୀ, ବିଷ୍ଣୁ ମହାକୁଡ଼ ଜାମୁକୋଳି ତୋଳିବାକୁ ଗଛରେ ଚଢିଥିବା ବେଳେ ଗଛର ଡାଳ ଭାଙ୍ଗି ଯିବାରୁ ଖସି ପଡ଼ିବା ବେଳେ ତଳେ ଥିବା ଏକ କୋରେଇ ଗଛର ଶୁଖିଲା ଡାଳ ତାଙ୍କ କାଖ ଦେଇ ବେକ ଭିତରେ ପଶି ଯାଇଥିଲା। ବହୁ କଷ୍ଟରେ ଡାଳଟିକୁ କରତରେ କାଟି ଗ୍ରାମବାସୀ ବିଷ୍ଣୁକୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର କୌଣସି ଚିକିତ୍ସା ହୋଇ ପାରି ନ ଥିଲା। ପରେ କଟକ ଅଣାଯାଇଥିଲା।

ସମ୍ବନ୍ଧିତ ଖବର