ଜୁଆଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ତେଲକୋଇ: ତେଲକୋଇ ଥାନା ବିଞ୍ଝବାହାଳ ଗ୍ରାମରେ ଜୁଆଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବିଞ୍ଝବାହାଳ ଗ୍ରାମର ଲଲଜିତ ସାହୁ (୨୧) ଓ ପ୍ରକାଶ ବଚ୍ଛା (୨୦)। ତେଲକୋଇ ଥାନା କେସ୍‌ ନମ୍ବର ୩୨/୧୯ ଦଫା ୩୭୬, ୫୦୬ରେ ଉଭୟଙ୍କୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ସେହିପରି ଏହି ଘଟଣାରେ ଅନ୍ୟଜଣେ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଅନ୍ୟ ୩ ଜଣ ଫେରାର୍‌ ଥିବା ଜଣାପଡ଼ିଛି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅନ୍ୟପକ୍ଷରେ ଅଭିମନ୍ୟୁ ଜୁଆଙ୍ଗ ଓ ଚୈତନ୍ୟ ଜୁଆଙ୍ଗଙ୍କ ନେତୃତ୍ବରେ ଏକ ଜୁଆଙ୍ଗ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୮ ତାରିଖ ରାତିରେ ଜୁଆଙ୍ଗ ଯୁବତୀ ଜଣଙ୍କ ନିଜ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ସହ ଯାତ୍ରା ଦେଖିବାକୁ ବିଞ୍ଝବାହାଳ ଗ୍ରାମକୁ ଯାଇଥିଲେ। ପରିସ୍ରା କରିବାକୁ ଯୁବତୀ ଜଣଙ୍କ ଅନ୍ଧାରିଆ ସ୍ଥାନକୁ ଯାଇଥିବା ବେଳେ ୬ ଜଣ ଯୁବକ ତାଙ୍କୁ ପାଖ ସ୍କୁଲ ପଡ଼ିଆକୁ ‌ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଜଣଙ୍କ ‌ତେଲକୋଇ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର