କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ୨ ରୋଗୀଙ୍କର ମୃତ୍ୟୁ !

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ୨ ରୋଗୀଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସହର ଉପକଣ୍ଠ ନରଣପୁରର କ୍ଷୀରୋଦିନୀ ପାତ୍ର ରକ୍ତଚାପର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ରାତିରେ ତାଙ୍କୁ ଡାକ୍ତର ଦେଖିବା ପରେ ସାଲାଇନ ଦେଇଥିଲେ ।

ଆଜି ଭୋରରେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅକ୍ସିଜେନ ଦେବାକୁ ଡାକ୍ତର କହିଥିଲେ । ହେଲେ ମହିଳା ବିଭାଗରେ ଯେଉଁ ୩ ଟି ଅକସିଜେନ ସିଲିଣ୍ଡର ଥିଲା ସେଥିରୁ ଗୋଟିଏ ଏକ ସାପ କାମୁଡ଼ା ରୋଗୀଙ୍କ ଦେହରେ ଲାଗିଥିଲା ଏବଂ ଅନ୍ୟ ଦୁଇଟି ଖାଲିଥିଲା । ଏହା ସତ୍ୱେ ବି ସେଠାରେ କେହି ବି ଦକ୍ଷ ନର୍ସ ଉପସ୍ଥିତ ନଥିଲେ । ପରିବାର ଲୋକମାନେ ବହୁ କାକୁତି ମିନତି ହେଲେ ବି ଡାକ୍ତର ରୁମ ଭିତରେ ଥାଇ ମଧ୍ୟ ରୋଗୀଙ୍କୁ ଦେଖିବାକୁ ଆସି ନ ଥିବା ଅଭିଯୋଗ ହୋଇଛି ।

ସେହିପରି ମୟୁରଭଞ୍ଜ କରଞ୍ଜିଆ ନୁଆଗାଁର ଜାନକୀ ପାତ୍ରଙ୍କୁ ଗତକାଲି ସାପ କାମୁଡ଼ିଥିଲା । ସେ ରାତିରେ ସେଠାରୁ ସ୍ଥାନାନ୍ତର ହୋଇ ଏଠାକୁ ଆସିଥିଲେ । ତେବେ ରାତିରେ ତାଙ୍କୁ ଚିକିତ୍ସା କରାଯାଇ ନଥିଲା। ଆଜି ସକାଳୁ ତାଙ୍କୁ ଏକ ଟିକା ଡାକ୍ତରଙ୍କ କହିବା ଅନୁଯାଇ ସେଠାରେ ଉପସ୍ଥିତ ନର୍ସ ଦେଇଥିଲେ। ତେବେ ଟିକା ଦେବା ପରେ ରୋଗୀର ପଲ୍ସ ଚାଲୁ ନ ଥିଲା । ହେଲେ ପଲ୍ସ ଚାଲୁ ନ ଥିବା ସତ୍ୱେ ତାଙ୍କୁ ଟିକା ଦିଆ ଯାଇଥିଲା । ଟିକା ଦେବା ପରେ ତାଙ୍କ ପରିବାର ଲୋକଙ୍କଠାରୁ ଡିସଚାର୍ଜ ପେପର ରେ ଦସ୍ତଖତ କରାଇ ନେଇଥିଲେ ଦିଦି । ଡାକ୍ତର ରୋଗୀଙ୍କୁ ଗୁରୁତର ସମୟରେ ଆସି ନ ଦେଖିବା ଓ ଏଠାରେ ଥିବା ଅକ୍ସିଜେନ ଅଛି କି ନାହିଁ ଯାଞ୍ଚ ନ କରିବା କାରଣରୁ ଆଜି ଦୁଇଟି ଜୀବନ ଚାଲିଗଲା ।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ କୁମାର ଦାସଙ୍କୁ ପଚାରିଥିଲୁ। ସେ କହିଥିଲେ, ଘଟଣା ସମ୍ପର୍କରେ ତଦନ୍ତ ହେବ। ଯଦି ତ୍ରୁଟି ନଜରକୁ ଆସେ, ତେବେ ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର