ଦାଦନ ଯାଇ ଶ୍ରମିକଙ୍କ ମୃତ୍ୟୁ

ଅନ୍ୟ ଜଣେ ନିଖୋଜ

ହରିଚନ୍ଦନପୁର: ଦାଦନ ଖଟିବାକୁ କେରଳ ଯାଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତାଙ୍କର କ୍ଷତାକ୍ତ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଅନ୍ୟପଟେ ତାଙ୍କ ସାଙ୍ଗରେ ଯାଇଥିବା ଅନ୍ୟଜଣେ ତାଙ୍କୁ ଖୋଜିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।
କେନ୍ଦୁଝର ଜିଲ୍ଲାରେ ବେକାରିର ଏପରି ବିକଳ ଚିତ୍ର ସାମନାକୁ ଆସିଥିଲାବେଳେ ମୃତଦେହ ଫେରିପାଇବା ପାଇଁ ପରିବାର ଲୋକେ ବାରଦୁଆର ହୋଇଛନ୍ତି। ଆଜି ଜିଲ୍ଲା ପ୍ରଶାସନକୁ ଦୁଃଖ ଜଣାଇବାକୁ ଯାଇଥିଲେ ବି ରବିବାର ହୋଇଥିବାରୁ ଭେଟି ପାରିନାହାନ୍ତି।
ହରିଚନ୍ଦନପୁର ବ୍ଲକ ଜଂଘିରା ପଞ୍ଚାୟତ କଣ୍ଟାପଦା ଗ୍ରାମର ୪ ଜଣ ଜୁଆଙ୍ଗ ଯୁବକ ଦାଦନ ଖଟିବାକୁ କେରଳ ଯାଉଥିଲେ। କେରଳରେ ପହଞ୍ଚିବା ପୂର୍ବରୁ ବାଟରେ ଈଶ୍ବର ଜୁଆଙ୍ଗ (୪୫)ଙ୍କର ମୃତ୍ୟୁ ହୋଇଛି। ଆର୍କାକୋନମ ପୁଲିସ ଈଶ୍ବରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି।
ଜଂଘିରା ପଞ୍ଚାୟତ କଣ୍ଟାପଦା ଗ୍ରାମର ଚନ୍ଦ୍ର ଦେହୁରୀ (୨୫), ରଞ୍ଜନ ଜୁଆଙ୍ଗ (୨୩) କୁଞ୍ଜ ଜୁଆଙ୍ଗ (୩୨) ଓ ଈଶ୍ବର ଜୁଆଙ୍ଗ (୪୫) ଗତ ୨୧ ତାରିଖରେ କେନ୍ଦ୍ରାପଡ଼ା ଯାଇଥିଲେ। ସେଠାକାର ଜଣେ ଏଜେଣ୍ଟ ସେମାନଙ୍କୁ କେରଳ ଯିବା ପାଇଁ ଟ୍ରେନ୍‌ରେ ବସାଇ ଦେଇଥିଲା। ଟ୍ରେନ୍‌ରେ ଅନ୍ୟ ସାଥୀଙ୍କୁ ଜଣାଇ ଈଶ୍ବର ଶୌଚାଳୟ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ କୁଞ୍ଜ ତାଙ୍କୁ ଖୋଜିବାକୁ ଯାଇଥିଲେ। ସେ ମଧ୍ୟ ଫେରିନଥିଲେ। ଆଜି ସକାଳେ ଆର୍କା‌କୋନମ ପୁଲିସ ଈଶ୍ବରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିବା ସହ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ଈଶ୍ବରଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ସେହିପରି ତାଙ୍କୁ ଖୋଜିବାକୁ ଯାଇଥିବା କୁଞ୍ଜ ମଧ୍ୟ ନିଖୋଜ ଅଛନ୍ତି।
ଆର୍କାକୋନମ ପୁଲିସଠାରୁ ସୂଚନା ପାଇବା ପରେ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଈଶ୍ବରଙ୍କ ପତ୍ନୀ ସୁନ୍ଦୁରୀ ଜୁଆଙ୍ଗ, ଶାଶୂ ତୁମ୍ବା ଜୁଆଙ୍ଗ, ଗ୍ରାମର ରାମ ଜୁଆଙ୍ଗ ଏବଂ ନରେନ୍ଦ୍ର ଜୁଆଙ୍ଗ କେନ୍ଦୁଝର ଯାଇଥିଲେ। ଆଜି ରବିବାର ଛୁଟି ଥିବାରୁ ସମସ୍ତେ ନିରାଶ ହୋଇ ଗାଁକୁ ଫେରିଥିଲେ। ଈଶ୍ବରଙ୍କ ମୃତଦେହ କିପିରି ଗ୍ରାମକୁ ଫେରିବ ତାକୁ ନେଇ ଚିନ୍ତାରେ ପରିବାର। ଈଶ୍ବରଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ସହ ଅସହାୟ ପରିବାରକୁ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର