ପୁଲିସ ମାଡ଼ରେ ଅପମାନିତ ଯୁବକଙ୍କ ଆତ୍ମହତ୍ୟା

ଘଟଗାଁ : ଦାମ୍ପତ୍ୟ କଳହକୁ ନେଇ ସ୍ୱାମୀ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ। ଘଟଣାର ଆପୋଷ ସମାଧାନ ପରିବର୍ତ୍ତେ ପୁଲିସ ସ୍ୱାମୀଙ୍କୁ ଖାଲି ଗାଳିଗୁଲଜ କଲାନି, ଥାନାରେ ନିର୍ଧୁମ ଛେଚିଲା। ପତ୍ନୀ ଉପସ୍ଥିତିରେ ପୁଲିସଠୁ ମାଡ଼ ଖାଇ ଅପମାନିତ ହେବା ପରେ ଜଣେ ଯୁବକ ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ପଣ୍ଡାପଡ଼ା ଥାନାରେ ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ନାମ ରମାକାନ୍ତ ନାୟକ (୩୦), ତାଙ୍କ ଘର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ପୁରୁମୁଣ୍ଡା ଗ୍ରାମରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପୁରୁମୁଣ୍ଡା ଗ୍ରାମର ରମାକାନ୍ତ ଓ ତାଙ୍କ ସ୍ତ୍ରୀ ପଦ୍ମିନୀ ନାଏକଙ୍କ ମଧ୍ୟରେ ଘରୋଇ ମାମଲାକୁ ନେଇ ଝଗଡ଼ା ହେଉଥିବା ବେଳେ ପଦ୍ମିନୀ ସ୍ୱାମୀଙ୍କ ବିରୋଧରେ ପଣ୍ଡାପଡ଼ା ଥାନାରେ ଫେରାଦ ହୋଇଥିଲେ। ଗତକାଲି ରମାକାନ୍ତ ଓ ତାଙ୍କ ସ୍ତ୍ରୀ ପଦ୍ମିନୀଙ୍କୁ ଥାନାକୁ ଡାକିଥିଲା ପୁଲିସ। ସେଠାରେ ରମାକାନ୍ତଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ ୮ଟା ବେଳକୁ ରମାକାନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ପୁଲିସ ଆଣି ଗାଁ ମୁଣ୍ଡରେ ଛାଡ଼ି ଦେଇଥିଲା। ପୁଲିସଠୁ ମାଡ଼ ଖାଇବା ପରେ ରମାକାନ୍ତ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ନିଜ ବୁଢ଼ୀମାଆଙ୍କୁ ସବୁକଥା ଜଣାଇ ‘ଆଉ ଜୀବନ ରଖିବିନି’ କହି କାନ୍ଦି କାନ୍ଦି ବିଷ ପିଇ ଦେଇଥିଲେ। ସାରା ରାତି ନିଜ ଘର ପିଣ୍ଡାରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ଭୋର ସମୟରେ ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଏକାଠି ହୋଇ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ରମାକାନ୍ତଙ୍କ ଶୁଦ୍ଧିକ୍ରିୟା, ତାଙ୍କ ଅନାଥ ଦୁଇଝିଅଙ୍କ ଭରଣପୋଷଣ ଏବଂ ପାଠପଢ଼ା ପାଇଁ ଆର୍ଥିକ ସହାୟତା ଦାବି କରିଥିଲେ। ଖବର ପାଇ ପଣ୍ଡାପଡ଼ା ଥାନା ଅଧିକାରିଣୀ ରଞ୍ଜୁହାସିନୀ କୁଲୁ ଓ ଡିଏସ୍‌ପି ମହେଶ୍ୱର ସେଠୀ ଗାଁ’ରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏସ୍‌ପି କହିଥିବା ବେଳେ ରମାକାନ୍ତଙ୍କୁ ପୁଲିସ ମାଡ଼ ମାରିଥିବା ସଂପର୍କରେ ତାଙ୍କ ମାଆ, ଝିଅ ଓ ସ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ରମାକାନ୍ତଙ୍କୁ ମାଡ଼ ମରାଯିବା ଘଟଣାକୁ ପୁଲିସ ଅସ୍ୱୀକାର କରିଛି।

ସମ୍ବନ୍ଧିତ ଖବର