୪ ଶିଶୁଙ୍କୁ ଛାଡ଼ି ପଳାଇଲା ମା’

ହରିଚନ୍ଦନପୁର: ପାଞ୍ଚ ମାସ ତଳେ ବାପା ବୁଦ୍ଧୁ ମୁଣ୍ତା (୩୮)ଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଦୁଇଝିଅ ଓ ଦୁଇପୁଅଙ୍କ ଲାଳନପାଳନ ମା’ ସୋମବାରୀ କରୁଥିଲେ। ମୂଲ ଲାଗି ପିଲାଙ୍କ ମୁହଁରେ ଦାନା ଦେଉଥିଲେ। ଭଙ୍ଗା ମାଟିକାନ୍ଥ ଓ ଖପର ଘରେ ରହୁଥିବା ଶିଶୁମାନେ ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ। ସାହାରା ପାଲଟିଥିବା ମା’ ସୋମବାରୀ ଶେଷରେ ସେମାନଙ୍କୁ ଛାଡ଼ି ଚାଲିଯିବାରୁ ୪ ଶିଶୁ ଏବେ ଅସହାୟ ହୋଇପଡ଼ିଛନ୍ତି। ୪ ଶିଶୁ ଅବନ୍ତୀ ମୁଣ୍ତା (୧୩), ଯଶୋଦାରାଣୀ ମୁଣ୍ତା (୧୦), ଶିବ ମୁଣ୍ତା (୭) ଓ ରାଜା ମୁଣ୍ତା(୫)ଙ୍କ ଦାୟିତ୍ବ କିଏ ନେବ, ସେମାନେ କ’ଣ ଖାଇବେ, କେଉଁଠି ରହିବେ ତାକୁ ନେଇ ଚିନ୍ତାରେ ଅଛନ୍ତି। ଅବନ୍ତୀ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିଥିବା ବେଳେ ଅନ୍ୟମାନେ ସ୍କୁଲ ଯାଉନାହାନ୍ତି। ବର୍ତ୍ତମାନ ସମସ୍ତ ଶିଶୁ ବଡ଼ବାପାଙ୍କ ଘରେ ଅଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ୪ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର