ତେଲକୋଇରେ ଚାଞ୍ଚଲ୍ୟ : ପଥର ଛେଚି ଯୁବକଙ୍କୁ ହତ୍ୟା

ତେଲକୋଇ/ରାଇସୁଆଁ : ତେଲକୋଇ ଥାନା ଲକ୍ଷ୍ମୀନାରାୟଣପୁର କୁଦୁରସାହି ନିକଟରୁ ପୁଲିସ ଆଜି ଜଣେ ଯୁବକଙ୍କ ଶବ ଜବତ କରିଛି। ମୃତକ ଯୁବକ ହେଉଛନ୍ତି ଏହି ଥାନା ରଙ୍ଗମାଟିଆ ଗାଁର କାମ ହେମ୍ବ୍ରମ୍‌(୪୫)। ତାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ପୁଲିସ ସଂଦେହ କରିଛି। ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସଂପର୍କରେ ପୁଲିସ ଛାନ୍‌ଭିନ୍‌ ଚଳାଇଛି।

ପୁଲିସ ସୂଚନା ଅନୁଯାୟୀ, ଗତକାଲି କାମ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଉଠାଇବା ପାଇଁ ବେଣାମୁଣ୍ଡା ଓଡ଼ିିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଡ. ବି. ଆର୍‌. ଆମ୍ବେଦକରଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିିଲେ। ସଂଧ୍ୟାରେ ସେ କେତେକ ଯୁବକଙ୍କ ସହିତ ନିଜ ଗାଁକୁ ଫେରିଥିଲେ। ଆଜି ସକାଳେ କାମଙ୍କ ମୃତଦେହ କୁଦୁରସାହି ନିକଟରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପରିବାରକୁ ଜଣାଇଥିଲେ।

ଖବର ପାଇ ତେଲକୋଇ ଥାନାଧିକାରୀ ଦେବେନ୍ଦ୍ରନାଥ ପିଙ୍ଗୁଆ, କାଳିଆହତା ଫାଣ୍ଡି ଅଧିକାରୀ ହାଫିଜ୍‌ ଖାଁ, ସାଇଣ୍ଟିଫିକ ଟିମ୍‌ ଅନୁସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କାମଙ୍କ ମୁଣ୍ଡକୁ ପଥରରେ ଛେଚି ଦିଆଯାଇଥିବା ଦେଖାଯାଇଥିଲା। ମୃତଦେହ ନିକଟରୁ ଟଙ୍କା ପଇସା ମିଳି ନଥିବା ବେଳେ ତାଙ୍କ ବ୍ୟାଗ୍‌, ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ନିକଟ ପୋଲ ତଳେ ପାଣିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। କାମ ବ୍ୟାଙ୍କରୁ ଉଠାଇଥିବା ଟଙ୍କା ଲୁଟିନେବା ପରେ ଦୁର୍ବୃତ୍ତମାନେ ତାଙ୍କୁ ପଥର ଛେଚି ହତ୍ୟା କରିଥିିବା ପୁଲିସ ସନ୍ଦେହ କରିଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ତେଲକୋଇ ଡାକ୍ତରଖାନାକୁ ପଠାଇ ଘଟଣାର ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର