ହାଟଡ଼ିହିରେ ପ୍ରସିଦ୍ଧ ପାଟୁଆ ଯାତ୍ରା:ପେଟ ଓ ଜିଭରେ କଣ୍ଟା ଫୋଡ଼ିଲେ

ହାଟଡ଼ିହି: ମହାବିଷୁବ ସଂକ୍ରାନ୍ତି ଅବଶରରେ ହାଟଡ଼ିହିରେ ପ୍ରସିଦ୍ଧ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଛି। ଶତାଧିକ ମାନସିକଧାରୀ ପେଟ ଓ ଜିଭରେ କଣ୍ଟା ଫୋଡ଼ି ମା’ ପଞ୍ଚଘଟଙ୍କ ଠାରେ ପୂଜାର୍ଚ୍ଚନା କରିଛନ୍ତି। ସ୍ଥାନୀୟ ତେଲୁକା ହାଟରେ ଅନୁଷ୍ଠିତ ପାଟୁଆଯାତ୍ରା ପାଇଁ ସମଗ୍ର ହାଟଡ଼ିହି ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି।
ଦୀର୍ଘ ବର୍ଷ ହେଲା ଏଠାରେ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଯାତ୍ରା ପାଇଁ ଭୋର ୪ଟାରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥିଲା। ଶତାଧିକ ଶ୍ରଦ୍ଧାଳୁ ମା’ଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ କୁକୁଡ଼ା ବଳି ଦେଇଥିଲେ। ପୂଜା‌ର୍ଚ୍ଚନା ପରେ ପାଟୁଆମାନେ ମାନସିକ ପୂରଣ ପାଇଁ ନିଜ ଜିଭ ଓ ପେଟରେ କଣ୍ଟା ଫୋଡ଼ି ଯାତ୍ରାରେ ସାମିଲ ହୋଇଥିଲେ। ମା’ଙ୍କ ନିକଟରେ ମାନସିକ କଲେ ତାହା ଅବିଳମ୍ବେ ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ବିଶ୍ବାସକୁ ପାଥେୟ କରି ପାଟୁଆମାନେ ଶରୀରର ବିଭିନ୍ନ ସ୍ଥାନରେ କଣ୍ଟା ଫୋଡ଼ିଥାନ୍ତି ବୋଲି କହିଛନ୍ତି। ପ୍ରଥା ଅନୁସାରେ ପାଟୁଆମାନେ ଏଠାରୁ ଗାଁ ଗାଁ ବୁଲି ମାଗଣ କରିବାକୁ ଯାଆନ୍ତି। ସଂକ୍ରାନ୍ତି ପରଦିନ ପାଟୁଆମାନେ ପିଠିରେ କଣ୍ଟା ଫୋଡ଼ିଥାନ୍ତି।
କପୁଣ୍ଡି ଗ୍ରାମର ଜେନା ପରିବାର ପକ୍ଷରୁ ଏଠାରେ ମା’ଙ୍କ ପୂଜା କରାଯାଇଥାଏ। ବର୍ଷସାରା ତାଙ୍କ ଘରେ ଠାକୁରାଣୀଙ୍କୁ ପୂଜା କରାଯାଇଥାଏ। ପଣା ସଂକ୍ରାନ୍ତିର ଦୁଇଦିନ ପୂର୍ବରୁ ଆଜ୍ଞାମାଳ ଓ ୫ଟି ଘଟ ସହ ମା’ଙ୍କୁ ହାଟଡ଼ିହି ମନ୍ଦିରକୁ ଅଣାଯାଇଥାଏ। ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ। ଏଠାରେ ପାଞ୍ଚଟି ଘଟକୁ ପୂଜା କରାଯାଉଥିବାରୁ ମା’ଙ୍କ ନାମ ପଞ୍ଚଘଟ ବୋଲି ମଧ୍ୟ କୁହାଯାଇଥାଏ। ପୂଜାପରେ ପୁଣି ମା’ଙ୍କୁ କପୁଣ୍ଡି ଗ୍ରାମକୁ ଫେରାଇ ନିଆଯାଇଥାଏ। ଦୁଇଦିନ ଧରି ଚାଲୁଥିବା ଏହି ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଗ୍ରାମବାସୀଙ୍କ ଉଦ୍ୟମରେ ଶାନ୍ତିଶୃଙ୍ଖଳାର ସହ ଯାତ୍ରା ଆୟୋଜନ କରାଯାଇଥାଏ।

ସମ୍ବନ୍ଧିତ ଖବର