ସହାୟତାର ହାତ ବଢ଼ାଇଲା ପୁଲିସ

କେନ୍ଦୁଝର: ଦୀର୍ଘ ତିନିବର୍ଷ ହେଲା କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତ ରନ୍ଥମରା ଗ୍ରାମର ସାବିତ୍ରୀ ମୁଣ୍ଡା (୩୮) ବିଛଣାରୁ ଉଠିନଥିଲେ ମଧ୍ୟ କେହି ଆଜି ପର୍ଯ୍ୟନ୍ତ ସହାୟତାର ହାତ ବଢାଇନଥିଲେ। ଏପରିକି ତାଙ୍କୁ ସରକାରୀ ସହାୟତା ମିଳିଲା ନାହିଁ। କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ସହାୟତା ଦେଇ ନାହାନ୍ତି। ଏନେଇ ଗତ ୨୬ ତାରିଖରେ ‘ସମ୍ବାଦ’ରେ ‘୩ ବର୍ଷ ହେଲା ଖଟିଆରେ ସାବିତ୍ରୀ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଖବର ଜାଣିବା ପରେ ସଦର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ସାବିତ୍ରୀଙ୍କୁ ସହାୟତା କରିଛନ୍ତି। ସେ ତାଙ୍କ ସମସ୍ତ ସହକର୍ମୀଙ୍କ ସହିତ ଆଲୋଚନା କରି ସହାୟତା ରାଶି ସଂଗ୍ରହ କରିଥିଲେ। ଥାନା ଅଧିକାରୀ, ଏସ୍‌ଆଇ ତ୍ରିନାଥ ସେଠୀ ଓ ଅନ୍ୟ ପୁଲିସ କର୍ମଚାରୀମାନେ ସାବିତ୍ରୀଙ୍କ ଘରକୁ ଯାଇ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏହି ଅର୍ଥରେ ସାବିତ୍ରୀଙ୍କ ଚିକିତ୍ସା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ସମୟରେ ପୁଣି ସହାୟତା କରିବାକୁ ତାଙ୍କ ସ୍ୱାମୀ ଲକ୍ଷ୍ମଣ ମୁଣ୍ଡାଙ୍କୁ କହିଛନ୍ତି।

ସାବିତ୍ରୀ ଏହି ସହାୟତା ପାଇବା ପରେ ପୁଣି ଆଶାର କିରଣ ତାଙ୍କ ମଧ୍ୟରେ ଜନ୍ମ ନେଇଛି ବୋଲି ଲକ୍ଷ୍ମଣ ପ୍ରକାଶ କରିଛନ୍ତି। ପ୍ରକାଶଥାଉକି ୩ ବର୍ଷ ପୂର୍ବେ ସାବିତ୍ରୀ ସଂପୂର୍ଣ୍ଣ ଭଲ ଥିଲେ। ସମସ୍ତ ପ୍ରକାର କାମ କରିପାରୁଥିଲେ। ହଠାତ ଅସୁସ୍ଥ ହୋଇପଡିଲେ। ତାଙ୍କର ଅଣ୍ଟା ତଳକୁ ଆଉ କିଛି କାମ କଲାନାହିଁ। ଫଳରେ ସେ ଆଉ ଚାଲିପାରିଲେ ନାହିଁ। ତାଙ୍କୁ ସ୍ୱାମୀ ଲକ୍ଷ୍ମଣ ମୁଣ୍ଡା ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଏମ ମାସରୁ ଅଧିକ ସମୟ ରଖିଥିଲେ। ଘରେ ଯାହାଥିଲା ଚିକିତ୍ସାରେ ସବୁ ସାରିଦେଲେ। ହେଲେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟିଲା ନାହିଁ। ଏଣୁ ଘରକୁ ନେଇଆସିଲେ। ଲକ୍ଷ୍ମଣ ମୂଲମଜୁରୀ କରିବାକୁ ବାହାରକୁ ଯିବା ବେଳେ ଘରକାମ କରିବା ପାଇଁ ତାଙ୍କ ବଡ଼ଝିଅ ପାଠପଢ଼ାରେ ଡୋରି ବାନ୍ଧିଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଯୋଜନା କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସାବିତ୍ରୀଙ୍କୁ ସରକାରଙ୍କ କୌଣସି ଯୋଜନା ଛୁଇଁ ପାରୁନଥିବା ଯୋଜାନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯାହାହେଉ ସଦର ଥାନା ଅଧିକାରୀଙ୍କ ସହାୟତା ଯୋଗୁଁ ସାବିତ୍ରୀଙ୍କ ମନରେ ବଞ୍ଚିବାର ରାହା ସୃଷ୍ଟି ହୋଇପାରିଛି।

ସମ୍ବନ୍ଧିତ ଖବର