ନବବିବାହିତ ଯୁବକଙ୍କୁ ଉଠାଇନେଲା ପୁଲିସ :ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ଅପ୍ରାକୃତିକ ସଂପର୍କ

ବଅଁରପାଳ: କଥା ଥିଲା ଦୁହେଁ ସ୍ୱାମୀ-ସ୍ତ୍ରୀ ରୂପେ ସାରା ଜୀବନ ରହିବେ। ଯୁବକ କିନ୍ତୁ ପ୍ରତିଶ୍ରୁତି ଭାଙ୍ଗି ଜଣେ ଯୁବତୀଙ୍କୁ ବିବାହ କରିଗଲେ। ଏ ଘଟଣା ଅସହ୍ୟ ହେଲା ସଂପୃକ୍ତ କିନ୍ନରଙ୍କ ପକ୍ଷେ। ତାଙ୍କ ଅଭିଯୋଗ କ୍ରମେ ଉକ୍ତ ନବ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରିଛି। ଏ ଘଟଣା ବଅଁରପାଳ ଥାନା ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ରହୁଥିବା ଜଣେ ୨୮ ବର୍ଷ ବୟସ୍କ କିନ୍ନର ରୁପା(ଛଦ୍ମନାମ) ଓ ବଅଁରପାଳ ଥାନା ଅଞ୍ଚଳର ସମାନ ବୟସର ଯୁବକ ପ୍ରତାପ(ଛଦ୍ମନାମ)ଙ୍କ ମଧ୍ୟରେ ଛାତ୍ର ଜୀବନରୁ ପ୍ରାୟ ୧୨ ବର୍ଷ ଧରି ଅପ୍ରାକୃତିକ ଯୌନ ସଂପର୍କ ଥିଲା। ୨୦୧୭ ମସିହା ପର୍ଯ୍ୟନ୍ତ ଦୁହେଁ ଏକତ୍ର ରହି ପାଠ ପଢ଼ୁଥିଲେ। ଉଭୟେ ଆଉ କାହାକୁ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ୨୦୧୭ରେ ରୁପା ଓ ପ୍ରତାପ ଚାକିରି ପାଇଗଲେ। ଦୁହେଁ ପରସ୍ପରଠାରୁ ଦୂର ସ୍ଥାନରେ ରହୁଥିଲେ ବି ସମୟ ପାଇଲେ ମିଳିତ ହେଉଥିଲେ। ଗତ ୪ ତାରିଖରେ ଜଣେ ଯୁବତୀଙ୍କ ସହ ପ୍ରତାପଙ୍କର ବିବାହ ହୋଇଯାଇଛି। ତାଙ୍କ ବିବାହ ପ୍ରସ୍ତାବ ପଡ଼ିବା ପରେ ପରେ ରୁପା ଯୁବତୀଙ୍କ ବାପଘର ଓ ପ୍ରତାପଙ୍କ ଘରକୁ ଯାଇଥିଲେ। ପ୍ରତାପ ଓ ତାଙ୍କର ସଂପର୍କ ନେଇ ରୁପା ଉଭୟ ପରିବାରକୁ ଜଣାଇବା ସହ ଯୁବତୀଙ୍କ ସହ ପ୍ରତାପଙ୍କ ବିବାହ ନକରାଇବାକୁ କହିଥିଲେ। କିନ୍ତୁ ଉଭୟ ପରିବାର ରୁପାଙ୍କ କଥାକୁ ଶୁଣିଲେ ନାହିଁ। ଗତ ୨୪ ତାରିଖରେ ପ୍ରତାପ, ତାଙ୍କ ବଡ଼ଭାଇ ଓ ଦାଦା ଯାଇ ରୁପା ଘରେ ଧମକ ଚମକ ଦେଇଥିଲେ। ଏ ସଂପର୍କରେ ରୁପା ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳାବାଗ ଥାନା ପୁଲିସ ଗତ ୯ ତାରିଖ ରାତିରେ ଆସି ପ୍ରତାପ, ତାଙ୍କ ବଡ଼ଭାଇ ଓ ଦାଦାଙ୍କୁ ଘରୁ ଉଠାଇ ନେଇଥିଲା। ବଡ଼ଭାଇଙ୍କୁ ପୁଲିସ ଅଟକ ରଖିଥିବାବେଳେ ପ୍ରତାପ ଓ ତାଙ୍କ ଦାଦାଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର