ଖାକିରେ କଳଙ୍କ : ଲାଞ୍ଚ ନେବା ବେଳେ ଥାନା ଏଏସ୍‌ଆଇ ଓ ମଧ୍ୟସ୍ଥି ଗିରଫ

ଘଟଗାଁ : ଲାଞ୍ଚ ନେବା ବେଳେ ଘଟଗାଁ ଥାନା ଏଏସ୍‌ଆଇ ପ୍ରସନ୍ନ କୁମାର ସାହୁ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହାସହିତ ଲାଞ୍ଚ ନେବାରେ ମଧ୍ୟସ୍ଥତା କରିଥିବା ଆଶିଷ ବେହେରା ନାମକ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଗାଁ ଥାନା ବରହାଟିିପୁରା ଗ୍ରାମର ପ୍ରମୋଦ ଗିରି ଓ ସେହି ଗ୍ରାମର ଜ୍ୟୋତ୍ସ୍ନା ପଲେଇଙ୍କ ମଧ୍ୟରେ ଝଗଡାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲେ ଘଟଗାଁ ଥାନା ଏଏସ୍‌ଆଇ ପ୍ରସନ୍ନ କୁମାର ସାହୁ। ଗତ ୨୩ ତାରିଖରେ ଏଏସ୍‌ଆଇ ଶ୍ରୀ ସାହୁ ମଧ୍ୟସ୍ଥି ଆଶିଷ ବେହେରାକୁ ସାଙ୍ଗରେ ନେଇ ପ୍ରମୋଦ ଗିରିଙ୍କ ଘରକୁ ଯାଇଥିଲେ। ଘରେ ତାଙ୍କୁ ନପାଇବାରୁ ପ୍ରମୋଦଙ୍କ ମୋଟର ସାଇକେଲ (ଓଆର୦୯ସି୧୦୬୮)କୁ ନେଇ ଆସିଥିଲେ ଏଏସ୍‌ଆଇ ଶ୍ରୀ ସାହୁ। ପରେ ମୋଟର ସାଇକେଲ ଫେରାଇବା ଓ କେସ୍‌କୁ ଦଫାରଫା କରିବା ଲାଗି ମଧ୍ୟସ୍ଥି ଯୁବକଙ୍କ ମାଧ୍ୟମରେ ଏଏସ୍‌ଆଇ ଶ୍ରୀ ସାହୁ ୧୦ ହଜାର ଟଙ୍କା ମାଗିଥିଲେ। ଶେଷରେ ୭ ହଜାର ଟଙ୍କାରେ କଥା ଛିଡିଥିଲା।

ତେବେ ପୁଲିସ୍‌ର ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ପ୍ରମୋଦ ଭିଜିଲାନ୍ସର ସହାୟତା ଲୋଡିଥିଲେ। ଆଜି ମଧ୍ୟାହ୍ନ ୨ଟା ବେଳେ ମୋଟର ସାଇକେଲ ଧରି ଏଏସ୍‌ଆଇ ଶ୍ରୀ ସାହୁ ମଧ୍ୟସ୍ଥି ଆଶିଷ ବେହେରା ସହିତ ଥାନାଠାରୁ ୫ ଶହ ମିଟର ଦୂର ହାଟଛକଠାରେ ପହଞ୍ଚି ପ୍ରମୋଦଙ୍କଠାରୁ ୭ ହଜାର ଟଙ୍କା ନେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପି ହରେକୃଷ୍ଣ ମାଝି ଓ ବିଭାଗୀୟ କର୍ମଚାରୀ ଉଭୟଙ୍କୁ କାବୁ କରି ନେଇଥିଲେ।

ଗିରଫ ଆଶିଷ ଥାନାକୁ ଆସୁଥିବା କେସ୍‌ଗୁଡିକରେ ମଧ୍ୟସ୍ଥତା କରୁଥିଲା। ଏହା ପୂର୍ବରୁ ଏକ ମିଛ ମାମଲାରେ ପ୍ରମୋଦଙ୍କୁ ଗିରଫ କରାଯାଇଥିବା ବେଳେ ଏଥର ଟଙ୍କା ନ ଦେଲେ ତାଙ୍କୁ ଘରୋଇ ଝଗଡାରେ ଗିରଫ କରାଯିବ ବୋଲି ଏଏସ୍‌ଆଇ ଶ୍ରୀ ସାହୁ ଧମକଚମକ ଦେଇଥିବା ପ୍ରମୋଦ ଅଭିଯୋଗ କରିଛନ୍ତି। ଚଢଉରେ ଭିଜିଲାନ୍ସ ଡିଏସ୍‌ପି ହରେକୃଷ୍ଣ ମାଝିଙ୍କ ସମେତ ଇନ୍‌ସପେକ୍ଟର ହେମାମାଳିନୀ ନାଏକ, ଇନ୍‌ସପେକ୍ଟର ପ୍ରଭୂକଲ୍ୟାଣ ଆଚାର୍ଯ୍ୟ, କର୍ମଚାରୀ ଧ୍ରୁବେନ୍ଦ୍ର କୁମାର ପାତ୍ର, ସର୍ବେଶ୍ଵର ସାହୁ, ମାଣିକ ଶା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର