ଖଣି ଅଞ୍ଚଳରେ ପୁଲିସର ଫ୍ଲାଗମାର୍ଚ୍ଚ

ଯୋଡ଼ା: ଯୋଡ଼ା ବ୍ଲକ ବାମେବାରୀ ଖଣି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ଦୁଇଦିନ ଧରି ପୁଲିସ ଫ୍ଲାଗମାର୍ଚ୍ଚ କରିଥିଲା। ଗତକାଲି ଉଚ୍ଚବାଲି, ନମ୍ବିରା ଓ ଜଗନ୍ନାଥପୁର ଗ୍ରାମରେ ଓ ଆଜି ଜୁରୁଡି ଅଞ୍ଚଳରେ ୨ ପ୍ଲାଟୁନ ପୁଲିସ ଫୋର୍ସ ସହ ୬ଜଣ ପୁଲିସ ଅଧିକାରୀ ଏଥିରେ ସାମିଲ ଥିଲେ। ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିକେ ମହାନ୍ତି ଏହି ସୂଚନା ଦେଇଛନ୍ତି। ଗତ କିଛି ମାସ ହେବ ଟ୍ରାଫିକ ଜାମ୍‌କୁ ନେଇ ବାମେବାରୀ-ଯୋଡ଼ା ମୁଖ୍ୟ ରାସ୍ତାରେ ବିଭିନ୍ନ ଖଣି ସମ୍ମୁଖ ଫାଟକ ସ୍ଥାନରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ରୁଙ୍ଗଟା ଖଣିର ଟ୍ରକ ପାର୍କିଂ ସ୍ଥାନ ଓ ଖଣିଜ ଟ୍ରକ ପରିବହନ ହେଉଥିବା ଫାଟକ ସମ୍ମୁଖରେ ଗତ ୧ତାରିଖ ବିଳମ୍ବିତ ରାତ୍ରିରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରାଯାଇଥିଲା। ପୁଣି ଗତ୧୨ ତାରିଖରେ ରାତ୍ରି ସମୟରେ ଟ୍ରାଫିକ ଜାମ ହଟାଉଥିବା ବେଳେ ଜଣେ ଟ୍ରକ ଚାପାରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏଣୁ ଆଇନଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବାକୁ ବାମେବାରୀ ପୁଲିସ ଫ୍ଲାଗମାର୍ଚ୍ଚ କରିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର