ପୁଲିସ ଆସିଲାନି: ଡାକ୍ତରଖାନା ବାରଣ୍ଡାରେ ଶବ

ଆନନ୍ଦପୁର: ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଆଦିବାସୀ ଯୁବକଙ୍କ ମୃତଦେହ ଦୀର୍ଘ ୨୦ ଘଣ୍ଟା ଧରି ଆନନ୍ଦପୁର ମେଡିକାଲ ବରଣ୍ଡାରେ ପଡ଼ିରହିବା ଘଟଣା ବିଭିନ୍ନ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇବା ସତ୍ବେ ପୁଲିସ ଶବ ଜବତ କରିବାକୁ ନଆସିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏସ୍‌ଡିପିଓଙ୍କ ହସ୍ତକ୍ଷେପ ପରେ ଶବ ବ୍ୟବଚ୍ଛେଦ କରାଯାଇଛି।
ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟା ବେଳେ ବଞ୍ଚୋ ନିକଟରେ ଟ୍ରାକ୍ଟରରେ ଯାଉଥିବା ଶାଳବଣୀ ଗ୍ରାମର ଶ୍ରମିକ ଗୋବିନ୍ଦ ମୁଣ୍ତା (୨୨) ଅସା‌ବଧାନତା ବସତଃ ତଳକୁ ଖସିପଡ଼ିଥିଲେ। ତାଙ୍କ ଉପରେ ଟ୍ରାକ୍ଟର ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଗୋବିନ୍ଦଙ୍କୁ ଏକ ଅଟୋରେ ଆନନ୍ଦପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଡାକ୍ତରଖାନା ବାରଣ୍ତାରେ ରଖାଯାଇ ପୁଲିସକୁ ଖବର ଦିଆଯାଇଥିଲା। ହେଲେ ପୁଲିସ ହସ୍ପିଟାଲ ଆସିଲାନି। ଅନ୍ୟପକ୍ଷରେ ଡାକ୍ତରଖାନା ବାରଣ୍ତାରେ ଶବ ପଡ଼ିଥିବା ବେଳେ ଗୋବିନ୍ଦଙ୍କ ପତ୍ନୀ, ଶିଶୁପୁତ୍ର ଓ ସାନଭାଇ ରାତିସାରା ତାହାକୁ ଜଗି ବସିଥିଲେ। ଦୀର୍ଘ ୨୦ ଘଣ୍ଟା ଧରି ଶବ ଡାକ୍ତରଖାନା ବରଣ୍ଡାରେ ପଡ଼ି ରହିବା ଓ ମୃତକଙ୍କ ପରିବାରର ଦୟନୀୟ ଅବସ୍ଥାକୁ ଦେଖି ଦିନ ଆଜି ପୂର୍ବାହ୍ନ ସାଢେଗୋଟାଏ ବେଳେ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍ ଚନ୍ଦ୍ର ପଣ୍ତାଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। ତାଙ୍କ ହସ୍ତକ୍ଷେପ ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ସୂଚନାଯୋଗ୍ୟ, କିଛିଦିନ ତଳେ ଏଭଳି ଏକ ଦୁର୍ଘଟଣାରେ ଆନନ୍ଦପୁର ପୁଲିସର ଖାମଖିଆଲି ଯୋଗୁଁ ୩୦ ଘଣ୍ଟା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର