ପୂର୍ବ ଶତ୍ରୁତାରୁ ହଣାକଟା, ଜଣେ ମୃତ

ଆନନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘସିପୁରା ଥାନା ଅନ୍ତର୍ଗତ ବାରିଗାଁରେ ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବଳେ ୪ ଜଣ ଗୁରୁତର ଆହତ ହେଇଛନ୍ତି। ମୃତକ ଜଣକ ହେଲେ ବାବାଜୀ ପ୍ରଧାନ(୫୦)। ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି। ଜଣେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି। ବାରିଗାଁରେ ଏକ ଡ୍ରେନ୍‌କୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ବହୁ ଦିନରୁ ବିବାଦ ଥିଲା। ଏପରିକି ଗତବର୍ଷ ମଧ୍ୟ ଏହାକୁ ନେଇ ମାର୍‌ପିଟ ହେବାରୁ ଉଭୟ ପକ୍ଷ ଆହତ ହୋଇଥିଲେ।

ଥାନାରେ ମାମଲା ରୁଜୁ ହୋଇଥିଲା। ଆଜି ଅପରାହ୍‌ଣ ୫ଟାରେ ପୁଣି ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ। ସେମାନଙ୍କ ମଧ୍ୟରେ ମାର୍‌ପିଟ ହେବା ସହ ପରସ୍ପରକୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିରେ ବାବାଜୀ ପ୍ରଧାନ, ଦେବସ୍ମିତା ବେଜ୍‌(୧୭), ସନାତନ ବାରିକ୍‌(୩୪), ରାଜା ପ୍ରଧାନ(୧୮), କାଳିଆ ପ୍ରଧାନ(୪୫) ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଅଣାଯାଇଥିଲା। ବାବାଜୀ ଓ ଦେବସ୍ମିତାଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଥିଲା। ସେଠାରେ ବାବାଜୀଙ୍କ ମୃତ୍ୟୁ ଘଟିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଜଣକୁ ଅଟକ ରଖିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗ୍ରାମରେ ପୁଲିସ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର