ରାହାଡ଼ପୁର ପାହାଡ଼ ୨ଖାଦାନରେ ୧୪୪

ପୁଣି ୭ କ୍ରସରକୁ ନୋଟିସ୍ କୋଟି କୋଟି ଟଙ୍କାର କଳାପଥର ଚୋରା ଚାଲାଣ

ଯାଜପୁର/ଚଢେଇଧରା: ରାଜ୍ୟରେ ଅଧିକ ରାଜସ୍ବ ଆଦାୟ ହେଉଥିବା ତହସିଲ ମଧ୍ୟରେ ଧର୍ମଶାଳା ଅନ୍ୟତମ । ଏଠାରୁ କୋଟି କୋଟି ଟଙ୍କାର କଳାପଥର ନିୟମିତ ଚୋରା ଚାଲାଣ ଚାଲିଛି। ଆର୍ଥିକ ବର୍ଷ ଆରମ୍ଭ ଓ ଶେଷରେ ରାଜସ୍ବ ଅଧିକାରୀ ଚଢଉ କରି ରାଜସ୍ବ ଲକ୍ଷ୍ୟ ହାସଲ କରନ୍ତି। ତେବେ ବର୍ଷ ତମାମ ମାଫିଆଙ୍କ ହାତରେ ପାହାଡ଼ ପର୍ବତ ଟେକି ଦେଉଥିବା ଅଭିଯୋଗ ହେଉଛି। ରାହାଡ଼ପୁର ପାହାଡ଼ରେ ଆଜି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ସଦଳବଳେ ଚଢାଉ କରି ୨ଟି ଖାଦାନରେ ୧୪୪ ଜାରି କରିଛନ୍ତି। ଏଥିସହ ବିଛାଖଣ୍ଡିର ୭ଟି ବେଆଇନ୍ କ୍ରସରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଗତ ସପ୍ତାହରେ ମଧ୍ୟ ଶ୍ରୀ ପଣ୍ଡା କେତେକ କ୍ରସରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଶତାଧିକ ଖାଦାନ ଓ କ୍ରସର ବେଆଇନ୍ ‌ଭାବେ ଚାଲିଥିବା ବେଳେ ହାତଗଣତି କେତେଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ତହସିଲ କର୍ତ୍ତୃପକ୍ଷ ପାରିବା ପଣିଆ ଦେଖାଉଛନ୍ତି। ଆଜି ସକାଳ୧୧ଟା ରେ ରାହାଡପୁର ମୌଜାର ୨୩୫ଖାତା ୧ନ˚ ପ୍ଲଟରେ ଥିବା ୭ଏକର ପର୍ବତ କିସମ ଜାଗାରେ ଥିବା ୧୦ ନମ୍ବର କ୍ବାରି ଓ ୬ନମ୍ବର କ୍ବାରିରୁ ବେଆଇନ କଳାପଥର ଉତ୍ତୋଳନ ହେଉଥିବାରୁ ୧୪୪ଧାରା ଜାରି କରାଯାଇଛି। ସେହିପରି ବିଛାଖଣ୍ତିରେ ଥିବା ବେଆଇନ କ୍ରସର ମଧ୍ୟରୁ ୭ଟି କ୍ରସରକୁ ନୋଟିସ୍ ଜାରି କରିଥିବା ତହସିଲଦାର ସରୋଜକୁମାର ପଣ୍ତା ସୂଚନା ଦେଇଛନ୍ତି। ଅପର ପକ୍ଷେ ଗତ ବର୍ଷ ଏପ୍ରିଲ୍ ରେ ଜିଲ୍ଲାପାଳ,ଏସପି,ଖଣି ବିଭାଗ ଅଧିକାରୀ ପୁଲିସ ଫୋର୍ସ ଲଗାଇ ଶତାଧିକ କ୍ରସର ସିଲ୍ କରିବା ସହିତ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ସେଗୁଡ଼ିକ ‌ଜିଲ୍ଲାପାଳଙ୍କ ଚଢାଉକୁ ଫୁତକାରରେ ଉଡାଇ ଦେଇ ପୁଣି ଖୋଲାମେଲାରେ କାରବାର ଚଲାଇଛନ୍ତି। ତେ‌ଣୁ ବର୍ତ୍ତମାନର ଚଢ଼ଉ କେବଳ ଲୋକଦେଖାଣିଆ ବୋଲି ଅଭିଯୋଗ ଉଠୁଛି। ଆଜିର ଚଢାଉରେ ଭାରପ୍ରାପ୍ତ ତହସିଲଦାର ଶ୍ରୀ ପଣ୍ଡାଙ୍କ ସହିତ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ଓ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ଚଢେଇଧରା ଫାଣ୍ତି ଅଧିକାରୀ ସୁଧୀର କୁମାର ରାଉତରାୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର