ରାଇନଟାରେ ପାନୀୟଜଳର ଘୋର ଅଭାବ

ହାଟଡିହି : ହାଟଡିହି ବ୍ଲକ ଢେଙ୍କା ରାଇନଟା ଗାଁରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି। ଗାଁରେ ୭୦ରୁ ଅଧିକ ପରିବାରର ଚାରିଶହରୁ ଊର୍ଦ୍ଧ୍ବ ଲୋକ ବାସ କରୁଛନ୍ତି। ପିଇବା ଲାଗି ପାନୀୟ ଜଳର କୌଣସି ବ୍ୟବସ୍ଥା କରାଯାଇନି। ସାହିଠାରୁ ମାତ୍ର କେତେଶହ ମିଟର ଦୂରରେ ସ୍ୱଜଳଧାରା ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ମାତ୍ର ଏହି ସାହି ପ୍ରତି ଅଣଦେଖା କରାଯାଇଛି। ଗାଁରେ ଦୁଇଟି କୂଅ ରହିଛି। ପାଣି ମଇଳା ହୋଇଯାଇଥିଲେ ହେଁ ତାକୁ ବ୍ୟବହାର କରି ଲୋକମାନେ ନାନା ରୋଗର ଶିକାର ହେଉଛନ୍ତି। ଏନେଇ ସାହି ବାସିନ୍ଦା ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ଗତକାଲି ପୂର୍ବତନ ୱାର୍ଡସଭ୍ୟ ଚକ୍ରଧର ନାଏକ, ସୁମିତ୍ରା ନାଏକ, ସୂର୍ଯ୍ୟ ନାଏକ, ଚମ୍ପା ନାଏକ, ରଙ୍ଗମଣି ନାଏକ, ସାବିତ୍ରୀ ନାଏକ, ସଞ୍ଜୁ ନାଏକ, ମଲ୍ଲି ନାଏକ, ବନିକା ନାଏକ, ରୂପ ନାଏକ, ଶ୍ବେତା ନାଏକଙ୍କ ସମେତ ଅନେକ ମହିଳା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ନାୟକ, ବିଜୟ କୁମାର ରାଉତ, ବୈଦ୍ୟନାଥ ସାମଲ ବିଧାୟକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।
ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପାନୀୟ ଜଳର ସୁବ୍ୟବସ୍ଥା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର