ବାପ-ପୁଅଙ୍କ ବିରୋଧରେ ଦୁଷ୍କର୍ମ ମାମଲା:ଝୁମ୍ପୁରାରେ ଝାରସୁଗୁଡା ପୁଲିସର ଚଢ଼ଉ

କେନ୍ଦୁଝର: ଝାରସୁଗୁଡ଼ାର ଜଣେ ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରାର ବାପା ପୁଅ ଦୁଷ୍କର୍ମ କରିବା ମାମଲାରେ ଆଜି ଝାରସୁଗୁଡା ପୁଲିସର ଏକ ଟିମ୍ ଝୁମ୍ପୁରାରେ ଚଢ଼ଉ କରିଛି। ଅଭିଯୁକ୍ତମାନେ ଫେରାର ଥିବାରୁ ଝାରସୁଗୁଡ଼ା ପୁଲିସ ଫେରି ଯାଇଥିବା ଜଣାପଡ଼ିଛି।
ମା’ଙ୍କ ମୃତ୍ୟୁ ପରେ ବାପା ସବୁବେଳେ ଘରକୁ ମଦ ପିଇ ଆସୁଥିବାରୁ ଝାରସୁଗୁଡ଼ା ବିଟିଏମ୍‌ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ପର ଘରେ କାମ କରିବାକୁ ସ୍ଥିର କରିଥିଲେ। ନାବାଳିକା ଜଣକ ପ୍ରଥମେ ଝାରସୁଗୁଡ଼ା ପୁରୁଣାବସ୍ତିରେ କାମ କରିବା ପରେ ଅନ୍ୟ ଜଣେ ମହିଳାଙ୍କ ସହଯୋଗରେ କାମ କରିବା ପାଇଁ କେନ୍ଦୁଝର ଜିଲ୍ଲା ଝୁମ୍ପୁରାର ସୁବୋଧ କୁମାର ଗୁପ୍ତାଙ୍କ ଘରକୁ ଆସିଥିଲେ। ଏଠାରେ କିଛିଦିନ କାମ କରିବା ପରେ ଗତ ୧୧ ତାରିଖରେ ସେ ଝାରସୁଗୁଡ଼ା ପଳାଇ ଯାଇଥିଲେ।

ଏହାପରେ ନାବାଳିକା ଜଣକ ବିଟିଏମ୍‌ ଫାଣ୍ତିରେ ସୁବୋଧ କୁମାର ଗୁପ୍ତା ଓ ତାଙ୍କ ପୁଅ ଅଜୟ କୁମାର ଗୁପ୍ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଉଭୟ ବାପା ପୁଅ ତାଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲେ ବୋଲି ନାବାଳିକା ଅଭିଯୋଗ କରିଛନ୍ତି। ବିଟିଏମ୍‌ ଫାଣ୍ତିରେ କେସ୍ ନମ୍ବର ୭୦୬ରେ ମାମଲା ହୋଇଛି। ବାପ-ପୁଅଙ୍କ ବିରୋଧରେ ଆଇପିସି ୩୭୬, ୩୭୦ ଏବ˚ ପକ୍ସୋ ୬ ଧାରାରେ ମାମଲା ରୁଜୁ ହୋଇଛି। ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇ ତାଙ୍କୁ ମୁକ୍ତାଶ୍ରୟରେ ରଖାଯାଇଛି।

ବିଟିଏମ୍‌ ଫାଣ୍ତିରେ ମାମଲା ରୁଜୁ ହେବା ପରେ ବିଟିଏମ ଫାଣ୍ଡି ପୁଲିସ ଝୁମ୍ପୁରା ପୁଲିସ ସହଯୋଗରେ ଆଜି ସୁବୋଧ ଗୁପ୍ତାଙ୍କ ଘରେ ଚଢ଼ଉ କରିଥିଲା। ଉଭୟ ଫେରାର ଥିବାରୁ ପୁଲିସ ସେମାନଙ୍କୁ ପାଇ ନଥିଲା। ଏ ସ˚ପର୍କରେ ଝୁମ୍ପୁରା ଥାନା ଅଧିକାରୀ ଅର୍ଚ୍ଚନା ମଲ୍ଲିକଙ୍କୁ ପଚାରିବାରୁ, ଝାରସୁଗୁଡା ଜିଲ୍ଲା ବିଟିଏମ୍‌ ଫାଣ୍ତିର ଏକ ପୁଲିସ ଟିମ୍‌ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆସିଥିଲା। କିନ୍ତୁ ତାଙ୍କୁ ପାଇ ନଥିଲା ବୋଲି ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର