ଅବସରପ୍ରାପ୍ତ ଏବିଡିଓଙ୍କୁ ବର୍ଷେ ଜେଲ

ଏସଏଚ୍‌ଜି ମହିଳାଙ୍କଠାରୁ ଲାଞ୍ଚ ନେଇଥିଲେ

କେନ୍ଦୁଝର: ଚାକିରିକାଳରେ ଲାଞ୍ଚ ନେଇ ଫସିଥିଲେ ଏବିଡିଓ। ବର୍ତ୍ତମାନ ଚାକିରିରୁ ଅବସର ନେଇ ସାରିଥିବା ବେଳେ ଭିଜିଲାନ୍ସ ମାମଲାର ରାୟ ପ୍ରକାଶ ପାଇଛି। ଏହି ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏକବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ପ୍ରଦ୍ୟୁମ୍ନ କୁମାର ନାୟକ ଆଜି ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ ୨୦୦୯ ରେ ରବି ନାରାୟଣ ସେଠୀ ଚମ୍ପୁଆ ବ୍ଲକର ଏବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ କୋଦଗାଡ଼ିଆର ମା’ ବୃନ୍ଦାବତୀ ଏସଏଚଜି ଓ ମା’ ଲକ୍ଷ୍ମୀ ନାରାୟଣ ଏସ୍‌ଏଚ୍‌ଜିକୁ ୪ ଲକ୍ଷ ୯୫ ହଜାର ଟଙ୍କା ଲେଖାଏଁ ଋଣ ଅର୍ଥ ମଞ୍ଜୁର ହୋଇଥିଲା। ସେମାନେ ୧ ଲକ୍ଷ ୬୦ ହଜାର ଟଙ୍କାଲେଖାଏଁ ଚିମିଳା ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଇଥିଲେ। ୨୦୦୯ ମେ ମାସ ୭ ତାରିଖରେ ମା’ ବୃନ୍ଦାବତୀ ଗ୍ରୁପର ସଭାପତି ଯଶୋଦା ମହାନ୍ତ ଓ ମା’ ଲକ୍ଷ୍ମୀ ନାରାୟଣ ଗ୍ରୁପର ସଭାପତି ମାଧବଲତା ବେହେରା ଅବଶିଷ୍ଟ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ। ପୂର୍ବରୁ ନେଇଥିବା ଟଙ୍କା ବିନିଯୋଗ ପ୍ରମାଣପତ୍ର (ୟୁସି) ଓ ଅନ୍ୟାନ୍ୟ କାଗଜପତ୍ର ଏବିଡିଓଙ୍କଠାରୁ ଆଣିଲେ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ ବୋଲି ବ୍ୟାଙ୍କ ମ୍ୟାନେଜର କହିଥିଲେ। ତେଣୁ ସେମାନେ ସଂଗେସଂଗେ ଏବିଡିଓଙ୍କୁ ଦେଖା କରିଥିଲେ।

ଏବିଡିଓ କାଗଜପତ୍ର ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏତେ ଟଙ୍କା ଧରିନାହୁଁ, ପାଖରେ ୨ ହଜାର ଟଙ୍କା ଅଛି ବୋଲି ମହିଳାଦ୍ବୟ କହିବାରୁ ସେତକ ଟଙ୍କାକୁ ଏବିଡିଓ ମାଗି ନେଇଥିଲେ। ଅବଶିଷ୍ଟ ୮ ହଜାର ଟଙ୍କା ଆସନ୍ତା ୧୨ ତାରିଖରେ ଦେବାକୁ କହିଥିଲେ। ସେଠା‌ରୁ ଫେରି ଶ୍ରୀମତୀ ମହାନ୍ତ ଓ ଶ୍ରୀମତୀ ବେହେରା ୧୧ ତାରିଖରେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗ ସଜାଗ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କଥାବାର୍ତ୍ତ ଅନୁଯାୟୀ ଯଶୋଦାଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏବିଡିଓ ଶ୍ରୀ ସେଠୀଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିଥିଲା।
କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ପ୍ରଦ୍ୟୁମ୍ନ କୁମାର ନାୟକ ୧୫ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି ଶ୍ରୀ ସେଠୀଙ୍କୁ ୧ ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଆଉ ଅଧିକ ୨ ମାସ ଜେଲ ଭୋଗିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦେବଦତ୍ତ ବିଶ୍ବାଳ କେସକୁ ପରିଚାଳନା କରୁଥିଲେ। ଶ୍ରୀ ସେଠୀଙ୍କ ଘର ଯାଜପୁର ଟାଉନରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର