ଗହଣା ଦୋକାନୀଙ୍କ ଘରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟ୍‌

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ରହୁଥିବା ଜଣେ ଗହଣା ଦୋକାନୀଙ୍କ ଘରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାରୁପା ଅଳଙ୍କାର ଚୋରି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ତାଳା ଗ୍ରାମର ସଞ୍ଜୟ କୁମାର ସା ଶାଳଣିଆଁ ବଜାରରେ ‘ଅନୁପମ ଅଳଙ୍କାର’ ନାମରେ ଏକ ଗହଣା ଦୋକାନ କରିବା ସହିତ ଦୋକାନ ଉପର ମହଲାରେ ପରିବାର ସହିତ ରହୁଛନ୍ତି। ପ୍ରତ୍ୟହ ରାତିରେ ଦୋକାନ ବନ୍ଦ କରିବା ବେଳେ ଶ୍ରୀ ସା ସମସ୍ତ ଗହଣାପତ୍ର ନିଜ ଘରକୁ ନେଇଯାଇ ଗଡ୍‌ରେଜ୍‌ ଆଲମିରାରେ ରଖନ୍ତି। ଗତକାଲି ସନ୍ଧ୍ୟାରେ ସେ ଦୋକାନ ବନ୍ଦ କରିବା ପରେ ଘରକୁ ଅଳଙ୍କାର ନେଇ ଆସି ଆଲମିରାରେ ରଖିଥିଲେ।

ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଶ୍ରୀ ସା ଓ ତାଙ୍କ ପତ୍ନୀ ନିକଟସ୍ଥ ଭାଟିଆ ମକର ମେଳାକୁ ବୁଲିବାକୁ ଯାଇ ରାତି ଦୁଇଟାରେ ଘରକୁ ଫେରିବା ସମୟରେ ଗେଟ୍‌ ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଉପର ଘରକୁ ଯାଇ ଦେଖିବା ବେଳକୁ ଝରକା ଗ୍ରିଲ୍‌ ତଡ଼ା ଯାଇଥିବା ଏବଂ ଗଡ୍‌ରେଜ୍‌ ଆଲମିରା ଭଙ୍ଗା ହୋଇ ସମସ୍ତ ଆସବାବପତ୍ର ଛିନ୍‌ଛତ୍ର ହୋଇ ପଡ଼ିଥିଲା। ଶ୍ରୀ ସା’ଙ୍କ କହିବାନୁସାରେ, ଚୋରମାନେ ତାଙ୍କ ଘରେ ଥିବା ୧୦ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର, ସାଢ଼େ ତିନି କିଲୋ ଓଜନର ରୁପା ଅଳଙ୍କାର ସହିତ ନଗଦ ୧୮ ହଜାର ଟଙ୍କା ନେଇ ଯାଇଛନ୍ତି। ଖବର ପାଇ ନନ୍ଦିପଦା ଥାନା ଆଇଆଇସି ବିନିତା ମାଝି ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ପ୍ରକାଶଥାଉକି, ଏହି ଅଞ୍ଚଳରେ ବାରମ୍ବାର ଚୋରି, ଡକାୟତି ଘଟଣା ଘଟୁଥିଲେ ମଧ୍ୟ ପୁଲିସ ଦୁର୍ବୃତ୍ତମାନଙ୍କର କୌଣସି ସନ୍ଧାନ ପାଉନାହିଁ। ଗତ ଦୁଇଦିନ ତଳେ ଛେନାପଦି ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କ ଘରୁ ଅନୁରୂପ ଭାବେ ଲୁଟ୍‌ ହୋଇଥିଲା। ଲୁଟେରାମାନଙ୍କୁ ଧରିବା ତ ଦୂର କଥା ସେମାନଙ୍କର କୌଣସି ସୁରାକ୍‌ ନ ପାଇବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର