କାଶିବେଡ଼ାରେ ସିରିଜ ଚୋରି, ରାତିକରେ ୫ ଘରେ ପଶିଲେ: ଅବସରପ୍ରାପ୍ତ ସୈନିକଙ୍କୁ ମାଡ଼ ମାରି ଲୁଟ୍‌

ଢେଙ୍କିକୋଟ: ଢେଙ୍କିକୋଟ ଫାଣ୍ଡି ଅଧୀନ କାଶିବେଡ଼ା ଗ୍ରାମରେ ଗତକାଲି ରାତିରେ ସିରିଜ ଡକାୟତି ହୋଇଛି। ଏକ ବୋଲେରୋରେ ଦୁର୍ବୃତ୍ତମାନେ ଗାଁରେ ପଶି ଲୁଟ୍‌ତରାଜ ଚଳାଇଥିଲେ। ପ୍ରଥମେ ଅବସରପ୍ରାପ୍ତ ସେନା କର୍ମଚାରୀ ଗୌରଚନ୍ଦ୍ର ନାୟକଙ୍କ ଘରେ ପଶିଥିଲେ। ଗୌରଙ୍କୁ ନିସ୍ତୁକ ମାଡ଼ ମାରି ମୁଣ୍ଡ ଫଟାଇଦେଇଥିଲେ। ଘରେ ଥିବା ପ୍ରାୟ ୧୫ ଭରି ସୁନାଅଳଙ୍କାର ଓ ନଗଦ ୪୧ ହଜାର ଟଙ୍କା ଲୁଟିନେଇଥିଲେ। ଘରେ ଥିବା ଟିଭି, ଫ୍ରିଜ ଓ ଅନ୍ୟାନ୍ୟ ଆସବାବପତ୍ରକୁ ଭାଙ୍ଗିରୁଜି ପକାଇଥିଲେ।
ସେହି ଗ୍ରାମର ଖଗେଶ୍ୱର ନାୟକଙ୍କୁ ମଧ୍ୟ ଆକ୍ରମଣ କରି ଅଳଙ୍କାର ଲୁଟିନେଇଛନ୍ତି। ଜନାର୍ଦନ ନାଏକ, ବୁଲୁ ମାନସିଂ ଓ ଜୟାନନ୍ଦ ନାୟକଙ୍କ ଘରେ ମଧ୍ୟ ଏହି ଡକାୟତ ଦଳ ପଶିଥିଲେ। ମାତ୍ର ଏମାନଙ୍କ ଘରୁ ବଡ଼ଧରଣର ଲୁଟ୍‌ କରିବାରେ ଦୁର୍ବୃତ୍ତମାନେ ସଫଳ ହୋଇନାହାନ୍ତି।
ଖବର ପାଇ ଆଜି ସକାଳେ ଘଟଗାଁ ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାଏକ, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଭରତ ଚନ୍ଦ୍ର ନାଏକ କାଶିବେଡ଼ା ଗ୍ରାମରେ ପହଞ୍ଚି ତଦନ୍ତ କରିଛନ୍ତି। ମାତ୍ର ଦୁର୍ବୃତ୍ତଙ୍କ ଟେର୍‌ ପାଇନାହାନ୍ତି।
ଢେଙ୍କିକୋଟ, ଲଙ୍ଗଳକଣ୍ଟି, ଟିକିରାରୁ ଡକାୟତି ପରେ କାଶିବେଡ଼ାରେ ଗତକାଲି ରାତିରେ ସିରିଜ ଡକାୟତି ହେବା ଘଟଣା ଲୋକମାନଙ୍କୁ ଆତଙ୍କିତ କରିଛି। ପୁଲିସର ପାରିବାପଣିଆ ଉପରେ ମଧ୍ୟ ଏହା ପ୍ରଶ୍ନ ଚିହ୍ନ ଲଗାଇଦେଇଛି।

ସମ୍ବନ୍ଧିତ ଖବର