ତେଲକୋଇ ପଞ୍ଚାୟତ ସମିତି ବୈଠକ : ବିଦ୍ୟୁତ କାଟ୍‌କୁ ନେଇ ଅସନ୍ତୋଷ

ନରେଗା କାର୍ଯ୍ୟରେ ଅନିୟମିତା ଅଭିଯୋଗ

ତେଲକୋଇ: ତେଲକୋଇ ବ୍ଲକ ସଭା ଗୃହରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ମମତା ଦେହୁରୀ ଅଧ୍ୟକ୍ଷତା କରିଥିଲେ। ତେଲକୋଇ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସହ ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବିଦ୍ୟୁତ୍ କାଟ ହେଉଥିଲେ ହେଁ ବୈଠକରେ ସଂପୃକ୍ତ ବିଭାଗର କେହି ଅଧିକାରୀ ଉପସ୍ଥିତ ନ ଥିବାରୁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ବିଦ୍ୟୁତ୍‌ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରପଞ୍ଚ ଓ ସଭ୍ୟମାନେ ଦାବି କରିଥିଲେ। ଅଘୋଷିତ ବିଦ୍ୟୁତ କାଟ୍ ବନ୍ଦ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦେଉଳଡିହା ସମିତି ସଭ୍ୟ ତପନ କୁମାର ପ୍ରଧାନ କହିଛନ୍ତି।
ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ସଲେଇକେନା ସମିତି ସଭ୍ୟ ପ୍ରତାପ କୁମାର ମିଶ୍ର ଅଭିଯୋଗ କରିଥିଲେ। ଗୋଟିଏ ପଞ୍ଚାୟତର ମଂଜୁର ପ୍ରକଳ୍ପ ଅନ୍ୟ ପଞ୍ଚାୟତରେ କାର୍ଯ୍ୟକାରୀ କରାଯାଉଥିବା ସେ କହିଥିଲେ। ଓରିଆ-ବିରିଡା ସଭ୍ୟ ଦିଲ୍ଲୀପ କୁମାର ସାହୁ କେତେକ ବ୍ୟକ୍ତି ବିଭାଗୀୟ ଅଧିକାରୀକୁ ଧରି ମନରେଗା କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ। ମନରେଗା କାର୍ଯ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ କାଉଣ୍ଟର ସାଇନ୍ ଆବଶ୍ୟକ ଅଛି କି ନାହିଁ ବୋଲି ସଦସ୍ୟମାନେ ଜାଣିବାକୁ ଚାହିଁଥିଲେ। ପ୍ରଶାସନଠାରୁ ଏହାର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ କାଉଣ୍ଟର ସାଇନ୍ ପାଇଁ ଅଧ୍ୟକ୍ଷାଙ୍କ ପାଖକୁ ଫାଇଲ ନ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ବିଭିନ୍ନ କମିଟି ଗଠନ କରାଯାଇଥିଲା। ସମନ୍ବୟ ଶିଶୁ ବିକାଶ କମିଟିର ଅଧ୍ୟକ୍ଷା ଭାବେ ବ୍ଲକ ଅଧ୍ୟକ୍ଷା ମମତା ଦେହୁରୀ, କୃଷି, ଉଦ୍ୟାନ, ମତ୍ସ୍ୟ ଓ ପଶୁ ସମ୍ପଦ କମିଟିର ଅଧ୍ୟକ୍ଷା ବଳଭଦ୍ରପୁର ସଭ୍ୟା ସତ୍ୟଭାମା ସିଂହ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧ୍ୟକ୍ଷ ତେଲକୋଇ ସରପଞ୍ଚ ମାନସ କୁମାର ନାଏକ, ଯୋଜନା, ଅର୍ଥ ଓ ସାମାଜିକ ସୁରକ୍ଷା କମିଟି ଅଧ୍ୟକ୍ଷ ଶିବନାରାୟଣପୁର ଗୋଡ଼ା ସରପଞ୍ଚ ଶିରପାଣି ପଧାନ, କ୍ରୀଡା ଓ ଯୁବସେବା କମିଟି ଅଧ୍ୟକ୍ଷ ଛାମୁଣ୍ଡା ସରପଞ୍ଚ କଳ୍ପତରୁ ନାୟକ, ଖଦୀ ବୟନ୍ନ ଶିଳ୍ପ ଅଧ୍ୟକ୍ଷା ବିଞ୍ଝବାହାଳ ସରପଞ୍ଚ ମଂଜୁଲତା ନାଏକ ଓ ଉନ୍ନୟନ କମିଟି ଅଧ୍ୟକ୍ଷ ଭାବେ ପୁରୁଯୋଡ଼ା ସରପଞ୍ଚ ପରମେଶ୍ବର ମୁଣ୍ଡାଙ୍କୁ ମନୋନୀତ କରାଯାଇଛି। ଆଜିର ବୈଠକରେ ବିଡିଓ ଦିଲ୍ଲୀପ କୁମାର ବାଡ଼ା, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ, ଜିପିଇଓ ବିଶ୍ବନାଥ ମଲ୍ଲିକ, ଜିଲ୍ଲାପରିଷଦ ସଦସ୍ୟା କମଳିନୀ ଦଣ୍ଡପାଟ, ସିଡିପିଓ ସୁପ୍ରଭା ମିଶ୍ର, ସରପଞ୍ଚ, ସମିତି ସଭ୍ୟସଭ୍ୟା, ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର