ତାମିଲନାଡୁରେ ତେଲକୋଇ ଶ୍ରମିକଙ୍କୁ ହତ୍ୟା

ଶୋକ ଓ କୋହରେ ଡୁବିଛି ଗାଁ; ଅର୍ଥାଭାବରୁ ଫେରି ପାରୁନାହାନ୍ତି ଅନ୍ୟ ଓଡ଼ିଆ ଶ୍ରମିକ

ରାଇସୁଆଁ/ତେଲକୋଇ: ତାମିଲନାଡୁର ମଦୁରାଇ ଜିଲ୍ଲା ବାନାଡିବାନ ସୂତାକଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସନାତନ ମୁଣ୍ଡାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଘର ତେଲକୋଇ ଥାନା କାଳିଆହତା ପଞ୍ଚାୟତ ପାଟିକିଲିପୁର ଗ୍ରାମରେ। ସନାତନଙ୍କ ମୃତଦେହ ଏକ ପରିତ୍ୟକ୍ତ ବାମ୍ଫିରୁ ଉଦ୍ଧାର କରାଯାଇଥିଲା। ଏହି ଖବର ଗ୍ରାମରେ ପହଞ୍ଚିବା ପରେ ସନାତନଙ୍କ ପରିବାର ଲୋକେ ଦୁଃଖରେ ମିୟମ୍ରାଣ ହୋଇ ପଡିଛନ୍ତି। ମୃତ ସନାତନଙ୍କ ଭାଇ ପାତ ମୁଣ୍ଡା ସେଠାକୁ ଯାଇ ଶବ ଚିହ୍ନଟ କରିବା ସହ ଅସ୍ଥି ଆଣି ଗ୍ରାମରେ ସତ୍କାର କରିଛନ୍ତି।

କାଳିଆହତା ଅଞ୍ଚଳର ସାତଜଣ ଶ୍ରମିକ ବାନାଡିବାନ୍‌ ସୂତାକଳରେ କାମ କରୁଥିଲେ। କୌଣସି କାରଣକୁ ନେଇ ତାମିଲ ଶ୍ର୍ରମିକମାନେ ଗତ ୮ ତାରିଖ ରାତିରେ ଓଡିିଆ ଶ୍ରମିକ ବସ୍ତିରେ ଆକ୍ରମଣ କରିଥିଲେ। ଏଥିରେ ସନାତନଙ୍କ ସମେତ ୩ ଜଣ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା କରାଯାଇ ଏକ ପରିତ୍ୟକ୍ତ ବାମ୍ପିରେ ଫୋପାଡି ଦିଆଯାଇଥିଲା। ଏହି ଘଟଣା ପରେ କାଳିଆହତାର ଅନ୍ୟ ଶ୍ରମିକମାନେ ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି। ସେମାନେ ହେଲେ ପାଟିକିଲିପୁରର ବିଜୟ ମୁଣ୍ଡା (୨୨), ସୁରେଶ ମୁଣ୍ଡା (୩୫), ଡୋରେ ମୁଣ୍ଡା (୨୦), ଶ୍ରୀରାମ ମୁଣ୍ଡା (୨୫), ସାରୁପାଟ ଗ୍ରାମର ସୁନାରାମ ମୁଣ୍ଡା (୨୫), ଗିରିଶ ମୁଣ୍ଡା (୨୨) ଓ ଚନ୍ଦ୍ର ମୁଣ୍ଡା (୩୨)। ପାଖରେ ଟଙ୍କା ନଥିବାରୁ ସେମାନେ ଘରକୁ ଫେରି ପାରୁନାହାନ୍ତି। ସୂଚନାଯୋଗ୍ୟ, ମାସକ ତଳେ ଉପରୋକ୍ତ ବ୍ୟକ୍ତିମାନଙ୍କ ସହିତ ସନାତନ କାମ କରିବାକୁ ତାମିଲନାଡୁ ଯାଇଥିଲେ।

ସମ୍ବନ୍ଧିତ ଖବର