ଦୁର୍ଘଟଣାରେ ୩ ମୃତ

ଘଟଗାଁ/ଢେଙ୍କିକୋଟ/ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ଓ ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ରାସ୍ତାର ଘଣଘଣା ନାଳ ନିକଟରେ ଦୁଇଟି ପୃଥକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବ୍ରାହ୍ମଣୀପାଳ ରାସ୍ତାର ଘଣଘଣା ନାଳ ନିକଟରେ ଆଜି ଅପରାହ୍‌ଣରେ ଏକ ବୋଲେରୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଝୁମ୍ପୁରା ବ୍ଲକ ଫକୀରପୁର ଗ୍ରାମର ଅତୁଲ ମହାନ୍ତ (୨୪)। ଅତୁଲ ସମ୍ପର୍କୀୟ ଭାଇ କ୍ଷେତ୍ରବାସୀ ମହାନ୍ତଙ୍କ ସହ ଭୁବନେଶ୍ବରରୁ ଏକ ନୂଆ ବାଇକ୍‌ କିଣି ସେଥିରେ ଘରକୁ ଫେରୁଥିବା ବେଳେ ଘଣଘଣା ନାଳ ନିକଟରେ ଏକ ଅଜଣା ବୋଲେରୋ ସେମାନଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଅତୁଲ ବାଇକ୍‌ରୁ ଛିଟିକି ପଡ଼ିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ‌କ୍ଷେତ୍ରବାସୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଦମକଳ ବାହିନୀ ଉଭୟଙ୍କୁ ଉଦ୍ଧାର କରି ହରଚନ୍ଦନପୁର ଡାକ୍ତରଖାନା ଆଣିଥିଲା।
ସେହିପରି ଚାନ୍ଦପଶି-ଦେଓବନ୍ଧ ରାସ୍ତାର ରୁଟିଶିଳା ନିକଟରେ ଏକ ଗଛରେ ପିଟି ହୋଇ ଦୁଇଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପଣ୍ଡାପଡ଼ା ଥାନା ଫୁଲଝର ଗ୍ରାମର ସୁଦନ ନାଏକ (୨୪) ଓ ବାପି ନାଏକ (୧୫)। ଉଭୟ ବାଇକ୍‌ରେ ଯାଉଥିବା ବେଳେ ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ପଣ୍ଡାପଡ଼ା ପୁଲିସ ସେଠାରେ ପହଞ୍ଚି ଏକ ଆମ୍ବୁଲାନ୍ସରେ ଶବକୁ କେନ୍ଦୁଝର ଡାକ୍ତରଖାନା ପଠାଇଛି।

ସମ୍ବନ୍ଧିତ ଖବର