ବଡଘାଗରା ଗଣ ଦୁର୍ଷ୍କମ ଘଟଣା: ଆଉ ତିନି ଅଭିଯୁକ୍ତ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳି ବଡଘାଗରାରେ ବିଶ୍ୱ ପର୍ଯ୍ୟଟନ ଦିବସ(ସେପ୍ଟେମ୍ବର ୨୭)ରେ ଜଣେ ନାଁବାଳିକା ସହିତ ଘଟିଥିବା ଗଣ ଦୁର୍ଷ୍କମ ଘଟଣାରେ ପୁଲିସ ସୋମବାର ଆଉ ୩ଜଣଙ୍କୁ ଗିରଫ କରିଛି। ଏହାକୁ ନେଇ ମୋଟ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହା ପୁର୍ବରୁ ଗତ ୨୮ରେ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ର ପ୍ରକାଶ କରିଛନ୍ତି ।

ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କଠାରୁ ପୁଲିସ ଗୋଟିଏ ହୋଣ୍ଡା ଆକଟିଭା (ଓଡି-୦୯ଇ-୬୫୯୬), ଗୋଟିଏ ହୋଣ୍ଡା ସାଇନ (ଓଡି-୦୯ଜେ-୫୦୨୫), ୨ଟି ମୋବାଇଲ, ସିମ୍‌, ମେମୋରି କାର୍ଡ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଛି । ଏହା ପୁର୍ବରୁ ସେପ୍ଟେମ୍ବର ୨୮ରେ ଟାଉନଥାନା ଲକ୍ଷ୍ମୀନାରାୟଣପୁରର ସୁବଳ କାରୁଆ (୨୦) ଓ ଯଶକେତନ ପାତ୍ର (୧୯)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ପ୍ରକାଶ ଥାଉକି ସେପ୍ଟେମ୍ବର ୨୭ରେ ତେଲକୋଇର ଜଣେ ନାଁବାଳିକା ରେଖା (ଛଦ୍ମନାମ) ହରିଚନ୍ଦନପୁର ତାଙ୍କ ଭିଣେଇଙ୍କ ଭାଇ ରାଜୁ (ଛଦ୍ମନାମ) ଏବଂ ରାଜୁଙ୍କ ସାଙ୍ଗ ରାକେଶ (ଛଦ୍ମନାମ)ଙ୍କ ସହିତ ସହିତ ଏକ ବାଇକରେ ବଡଘାଗରାକୁ ବୁଲିବାକୁ ଯାଉଥିଲେ । ତେବେ ବଡଘାଗରାକୁ ଯିବା ବେଳେ ଅଞ୍ଜରରୁ ପ୍ରାୟ ୧ କିଲୋମିଟର ଯିବା ପରେ ଜଂଗଲ ରାସ୍ତାରେ ୫ଜଣ ଯୁବକ ସେମାନଙ୍କୁ ରାସ୍ତାରେ ଅଟକାଇ ରାଜୁଙ୍କୁ ମାଡମାରିଥିଲେ । ଫଳରେ ରାଜୁଙ୍କ ସାଙ୍ଗ ରାକେଶ ସେଠାରୁ ଦୌଡି ପଳେଇଥିଲେ । ରାଜୁ ଏକୁଟିଆ ହୋଇଯିବାରୁ ଭୟଭିତ ହୋଇଯାଇଥିଲେ । ଫଳରେ ରେଖାଙ୍କୁ ସଂପୃକ୍ତ ଯୁବକମାନେ ଜଂଗଲ ମଧ୍ୟକୁ ଉଠାଇ ନେଇ ଗଣଦୁର୍ଷ୍କମ କରିଥିଲେ । ଏହି ଦୁର୍ଷ୍କମକୁ ମୋବାଇଲରେ ସୁଟିଂ ମଧ୍ୟ କରିଥିଲେ । ତେବେ ରାଜୁ ସେଠାରୁ ଦୌଡି କିଛିଦୁରରେ ଭୋଜି କରୁଥିବା ଲୋକଙ୍କ ଘଟଣା ସଂପର୍କରେ କହିଥିଲେ । ଫଳରେ ସେମାନେ ଆସି ରେଖାଙ୍କୁ ଉଦ୍ଧାର କରିବା ସହିତ ସୁବଲ ଏବଂ ଯଶକେତନକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ସେମାନଙ୍କୁ ହୁଡକୋ କଲୋଣୀ, ଡଙ୍ଗାପାଣି, ଭେଜିଡିହି ତାଙ୍କ ଘରୁ ଗିରଫ କରିଥିଲା । ତେବେ ଏହି ଘଟଣାର ତଦନ୍ତ କରୁଥିବା ସଦର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ କହିଛନ୍ତି ଯେ, ଦୁର୍ଷ୍କମ ବେଳର ମୋବାଇଲ ସୁଟିଂ ଭିଡିଓ ଭାଇରାଲ ହେବା ପୁର୍ବରୁ ଜବତ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର