ମନ୍ତ୍ରୀପୁଅଙ୍କୁ ପୁଲିସ ଢାଲ! : ୨ଜଣଙ୍କୁ ଗିରଫ କଲା ପୁଲିସ

ଆନନ୍ଦପୁର : ଦୀପାବଳି ଦିନ ବେଲବାହାଳି ଗ୍ରାମର ପ୍ରଶାନ୍ତ ସାହୁଙ୍କୁ ଆକ୍ରମଣ ଘଟଣାରେ ମନ୍ତ୍ରୀପୁଅ ଦେବପ୍ରିୟଙ୍କୁ ପୁଲିସ ଢ଼ାଲ। ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପୁଅ ନିର୍ଦ୍ଦୋଷ ବୋଲି କହୁଥିବା ବେଳେ ଘଟଣାର ତିନିଦିନ ପରେ ଏବେ ପୁଲିସ ମନ୍ତ୍ରୀଙ୍କ ପୁଅ ବିରୋଧରେ ସଫେଇ ଦେଇଛି। ପୁଲିସ କହିଛି ମନ୍ତ୍ରୀଙ୍କ ପୁଅର ଏହି ଘଟଣାରେ ସଂପୃକ୍ତି ନାହିଁ। ଅନ୍ୟପଟେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମନ୍ତ୍ରୀପୁଅ ଦେବପ୍ରିୟଙ୍କୁ ୭୨ ଘଣ୍ଟା ମଧୢରେ ଗିରଫ କରା ନଗଲେ ୧୪ ତାରିଖରେ ଘସିପୁରା ଥାନା ଘେରାଉ କରାଯିବ ବୋଲି ବେଲବାହାଳି ଗ୍ରାମବାସୀ ଚେତାବନୀ ଶୁଣାଇଛନ୍ତି। ଏହି ମାମଲାରେ ଘସିପୁରା ପୁଲିସ ଆଜି ଭୋର ବେଳେ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ ବନିକା ଗ୍ରାମର କାଳିଆ ଜେନା ଓ ଗୁହାଳିଆ ଗ୍ରାମର ମହେଶ୍ବର ଜେନା। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ ତଥା ଆନନ୍ଦପୁର ଏସ୍‌ଡିପିଓ ଦିଲୀପ ବାଗ୍‌। ଏସ୍‌ଡିପିଓ କହିଥିଲେ ଯେ ସାକ୍ଷୀଙ୍କ ବୟାନ ଅନୁସାରେ ଦେବପ୍ରିୟ ପାତ୍ର ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ନାହାନ୍ତି। ଏନେଇ ତାଙ୍କ ବିରୋଧରେ କୌଣସି ପ୍ରମାଣ ମଧ୍ୟ ନାହିଁ। ଘଟଣା ଦିନ ସେ ଉଦଳାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଥିଲେ ବୋଲି ସେ ସଫେଇ ଦେଇଛନ୍ତି।

ମନ୍ତ୍ରୀପୁଅଙ୍କୁ ଖସାଇବା ପାଇଁ ପୁଲିସ ପ୍ରୟାସ କରୁଛି ଏବଂ ତାଙ୍କ ସହ କିମ୍ବା ସାକ୍ଷୀଙ୍କ ସହିତ ପୁଲିସ କୌଣସି ଯୋଗାଯୋଗ କରିନି ବୋଲି ଏତଲାକାରୀ ତଥା ପ୍ରଶାନ୍ତଙ୍କ ପତ୍ନୀ ଉର୍ମିଳା ଜେନା ଅଭିଯୋଗ କରିଛନ୍ତି। ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ପ୍ରଶାନ୍ତ ଏବେ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର