୨ ଅନ୍ତଃରାଜ୍ୟ ରାଜପଥ ଲୁଟେରା ଗିରଫ

୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ମାରଣାସ୍ତ୍ର ଜବତ

କେନ୍ଦୁଝର : କେନ୍ଦୁଝର ପୁଲିସକୁ ମିଳିଛି ପୁଣି ଏକ ସଫଳତା। ଗତ କିଛି ଦିନ ତଳେ ପୁଲିସ ଏକ ୯ ଜଣିଆ ଅନ୍ତଃରାଜ୍ୟ ଡକାୟତ ଦଳକୁ ଗିରଫ କରିଥିବା ବେଳେ ଗତକାଲି ରାତିରେ ଏକ ୮ ଜଣିଆ ଗ୍ୟାଙ୍ଗର ୨ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କଠାରୁ ୨ ଲକ୍ଷ ୧୦ ହଜାର ୧୨୧ ଟଙ୍କା ଏବଂ କିଛି ମାରଣାସ୍ତ୍ର ଜବତ କରିଛି।

ପୁଲିସ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବେଲଦା ଘାଟିରେ ଏକ ରାଜପଥ ଲୁଟେରା ଗ୍ୟାଙ୍ଗ୍‌ ଗାଡ଼ିମାନଙ୍କରୁ ଲୁଟ୍‌ କରୁଥିବା ଖବର ପାଇ ସଦର ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ଅନ୍ଧାର ରାତିର ସୁଯୋଗ ନେଇ ଅନ୍ୟ ଲୁଟେରାମାନେ ସେଠାରୁ ଖସି ପଳାଇଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ ୨ ଜଣ ଲୁଟେରା। ଗିରଫ ଲୁଟେରାଦ୍ୱୟ ହେଲେ ଗଞ୍ଜାମ ଜିଲ୍ଲାର ଆଉଲ ବିଜୟ ଏବଂ ପଶ୍ଚିମବଙ୍ଗ ହୁଗୁଳିର ଦନାକରନ ରାଓ। ଏମାନେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ପାଖାପାଖି ୩୦ଟି ଲୁଟ୍‌ରେ ସାମିଲ ଥିବା ପୁଲିସ ଜେରାରୁ ଜଣାପଡ଼ିଛି। ଧରାପଡିଥିବା ଲୁଟେରା ଦୁଇଜଣଙ୍କଠାରୁ ନଗଦ ୨ ଲକ୍ଷ ୧୦ ହଜାର ୧୨୧ ଟଙ୍କା ସହିତ ବିଭିନ୍ନ ମାରଣାସ୍ତ୍ର ଏବଂ ନୀଳରଙ୍ଗର ଏକ ଆପାଚି ବାଇକ୍‌ ଜବତ କରାଯାଇଛି।

କେନ୍ଦୁଝର ଜିଲ୍ଲାର ଯୋଡା, ତେଲକୋଇ, ବଡ଼ବିଲ, ପାଟଣା, ହରିଚନ୍ଦନପୁର, ଝୁମ୍ପୁରା ଥାନା ସମେତ ଅନୁଗୁଳ ଜିଲ୍ଲାର ପାଲଲହଡା ଥାନା, ଖମାର ଥାନା ଏବଂ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନାରେ ଏହି ଲୁଟେରାଙ୍କ ନାମରେ ଏକାଧିକ ମାମଲା ରହିଛି। ଏହାଛଡ଼ା ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଏମାନେ ଅନେକ ଲୁଟ୍‌ପାଟ୍‌ରେ ସଂପୃକ୍ତ ବୋଲି ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏମାନେ ମୁଖ୍ୟତଃ ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍‌ କରିଥାନ୍ତି ବୋଲି ପୁଲିସ ପ୍ରକାଶ କରିଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସ୍ୱର୍ଣ୍ଣପ୍ରଭା ପ୍ରଧାନ, ଡିଏସ୍‌ପି ମହେଶ୍ୱର ସେଠୀଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର