ରାସ୍ତା ନହେଲେ ଭୋଟ୍‌ ବର୍ଜନ

କେନ୍ଦୁଝର: ପାହାଡ଼ ଉପରେ ଥିବା ବାଂଶପାଳ ବ୍ଲକର ଉପରକାଦକଳା ଗାଁକୁ ରାସ୍ତା ନାହିଁ। ୬ କିମି ଜଙ୍ଗଲିଆ ରାସ୍ତାରେ ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଛନ୍ତି ଗ୍ରାମବାସୀ। ଗାଁକୁ ରାସ୍ତା ତିଆରି ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ତାହା ଫଳକରେ ସୀମିତ ରହିଛି। ଏଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ରାସ୍ତା ପାଇଁ ଲୋକେ ପ୍ରଶାସନକୁ ୧ ମାସର ମହଲତ ଦେଇଛନ୍ତି। ରାସ୍ତା ତିଆରି ନହେଲେ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
କାଦକଳା ପଞ୍ଚାୟତର ଉପର କାଦକଳା ଗ୍ରାମରେ ୧୬୮ଟି ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ଦେଢ ହଜାର। ସେଥିରୁ ୪୯୫ ଜଣ ଭୋଟର। ଗ୍ରାମଟି ପାହାଡ଼ ଉପରେ ଅବସ୍ଥିତ। ଗ୍ରାମର ଚାରିପଟେ ୫ କିମି ଜଙ୍ଗଲ ଘେରିଛି। ଗ୍ରାମବାସୀଙ୍କ ବଡ଼ ଦୁଃଖ ହେଲା ଗାଁ’କୁ ରାସ୍ତା ନାହିଁ। ଜଙ୍ଗଲିଆ ରାସ୍ତାରେ ୬ କିମି ଯିବାପରେ ପଞ୍ଚାୟତ ମୁଖ୍ୟାଳୟ କାଦକଳା ପଡ଼ିଥାଏ। ଟଙ୍କିକିଆ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା‌ ପାଇଁ ହିତାଧିକାରୀ ୬ କିମି ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି। ବହୁ ସମୟରେ ଭତ୍ତା ପାଇଁ ଆସୁଥିବା ଲୋକେ ଗାଁ’କୁ ଫେରି ପାରନ୍ତି ନାହିଁ। କାଦକଳାରେ ରାତି କାଟନ୍ତି। ରାସ୍ତା ପାଇଁ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ହୋଇପାରିଲା ନାହିଁ। ୨୦୧୭ ମସିହା ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଦୁଇଟି ଫଳକ ଲାଗିଲା। ଗ୍ରାମବାସୀ ଭାବିଥିଲେ ତାଙ୍କ ଦୁଃଖ ଶୁଣିଲେ ସରକାର। ରାସ୍ତାକାମ ବର୍ଷେ ମଧ୍ୟରେ ଶେଷ ହୋଇଯିବ। ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇପାରିଲା ନାହିଁ।
କାଦକାଳାରୁ ଉପର କାଦକଳା ୫.୭୩୦ କିମି ରାସ୍ତା ନିର୍ମାଣ ପାଇଁ ୨ କୋଟି ୭୧ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୮ ମସିହା ମାର୍ଚ୍ଚ ୨୩ ତାରିଖରେ କାମ ସରିବା କଥା। ହେଲେ ରାସ୍ତା କାମ କେବଳ ଫଳକରେ ସୀମିତ ରହିଯାଇଛି। ରାସ୍ତା ନଥିବାରୁ ଗାଁ’କୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ରୋଗୀକୁ ଡାକ୍ତରଖାନା ନେବାରେ ସମସ୍ୟା ହେଉଛି। ଏପରିକି କୌଣସି ଲୋକ ବାହାରକୁ କାମ କରିବାକୁ ଯାଇ ସଂଧ୍ୟା ପୂର୍ବରୁ କାଦକଳାରେ ପହଞ୍ଚି ନପାରିଲେ ଗାଁ’କୁ ଆଉ ଆସିପାରନ୍ତି ନାହିଁ। ଆଜି ଗ୍ରାମର କିଛି ଯୁବକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ରାସ୍ତା ନିମାର୍ଣ ପାଇଁ ନିବେଦନ କରିଛନ୍ତି। ଫେବ୍ରୁଆରି ମାସ ସୁଦ୍ଧା କାମ ଆରମ୍ଭ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର