ଖାସବାହାଲ ପଞ୍ଚାୟତକୁ ମରୁଡ଼ି ଘୋଷଣା ଦାବି

ମରୁଡ଼ି ତଦନ୍ତ ପୁଣି ଥରେ କରିବାକୁ ଦାବି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତବାସୀ ଖାସବାହାଲ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବାକୁ ରାଜ୍ୟ ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ୨୦୧୭ କୃଷି ବର୍ଷରେ ଖାସବାହାଲ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡ଼ି ପ୍ରବଣ ଅଞ୍ଚଳ ଭାବରେ ଘୋଷଣା, ବ୍ୟାଙ୍କ ଋଣ ଛାଡ଼ ଓ ଚାଷୀଙ୍କ କୃଷିଋଣ ପ୍ରଦାନ, ବାଦ ପଡ଼ିଥିବା ହିତାଧିକାରୀଙ୍କୁ ରାସନକାର୍ଡ ପ୍ରଦାନ, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଖାସବାହାଲ ପଞ୍ଚାୟତର ସମସ୍ତ ଗ୍ରାମର ଜମିକୁ କେନାଲ ଯୋଗେ ଜଳସେଚନର ସ୍ଥାୟୀ ବନ୍ଦୋବସ୍ତ, ୨୦୧୬ କୃଷିବର୍ଷର ଋଣ ବୀମା ରାଶିକୁ ତୁକଲା ୟୁଜିବି ଋଣ ଖାତାରେ ଜମା କରିଦେଇ ଜମି ପଟ୍ଟା ଫେରସ୍ତ କରୁଛନ୍ତି, ଏହା ନକରି ବୀମା ରାଶି ଚାଷୀଙ୍କୁ ପ୍ରଦାନ କରାଯିବା, ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ସୁନ୍ଦର ନଦୀରୁ ପାନୀୟ ଜଳ ଯୋଗାଣ, ଶ୍ରମିକଙ୍କୁ କାମ ଯୋଗାଣ, ଆସନ୍ତା କୃଷି ବର୍ଷ ପାଇଁ ଚାଷୀଙ୍କୁ ମାଗଣାରେ ବିହନ, ସାର ଓ କୀଟନାଶକ ଯୋଗାଣ ଓ ରବି ଋତୁରେ ଶସ୍ୟ ଜାତୀୟ ବିହନ ଯୋଗାଣ ଆଦି ଦାବି ରହିଛି। ଏହି ଦାବିପତ୍ର ପ୍ରଦାନ ବେଳେ କୁନୁ ଚରଣ ବେହେରା, ପ୍ରେମଲାଲ ବାଗ, ବିଷ୍ଣୁ ବେହେରା ପ୍ରମୁଖଙ୍କ ସମେତ ପଞ୍ଚାୟତର ଅନ୍ୟ ଚାଷୀ ସାମିଲ ଥିଲେ।
ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ରାଜ୍ୟ ସରକାର ଅକ୍ଟୋବର ୧୫ ତାରିଖ ସୁଦ୍ଧା ଜିଲ୍ଲାର ଏକ ଆଇ ଏଷ୍ଟିମେଟ ସର୍ଭେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲା ବ୍ୟାପୀ କୃଷି ବିଭାଗ ଏବଂ ରାଜସ୍ୱ ବିଭାଗର ମିଳିତ ଟିମ୍‌ ପ୍ରତ୍ୟକ ଗ୍ରାମକୁ ଯାଇ ଚାଷ ଜମିର ସ୍ଥିତି ଆକଳନ କରୁଛି। ସଦର ବ୍ଲକ୍‌ ଦର୍ଲିମୁଣ୍ଡା ପଂଚାୟତର ୯୫ ଶତକଡ଼ା ଚାଷଜମି ମରୁଡ଼ି ପ୍ରଭାବିତ ହୋଇଥିବା ସତ୍ତ୍ୱେ ରାଜସ୍ୱ ନିରୀକ୍ଷକ ଓ ଭିଏଡବ୍ଳୁ ଆଇ ଏଷ୍ଟିମେଟେ ସର୍ଭେ ରିପୋର୍ଟରେ ମାତ୍ର ୪୦ ଶତକଡ଼ା ଚାଷଜମି ପ୍ରଭାବିତ ହୋଇଛି ବୋଲି ଦର୍ଶାଇଛନ୍ତି। ଏହା ସଠିକ୍‌ ରିପୋର୍ଟ ନୁହେଁ, ନୂତନ ଭାବେ ମରୁଡ଼ିର ପୁଣି ଥରେ ସଠିକ ଆକଳନ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବା ପାଇଁ ଜିଲ୍ଲା ଉପନିର୍ଦେଶକଙ୍କୁ ପଞ୍ଚାୟତବାସୀ ଦାବିପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରା ନଗଲେ ଆଗାମୀ ଦିନରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଠାରେ ଧାରଣାରେ ବସିବେ ବୋଲି ଚାଷୀମାନେ ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର