କେବଳ ବାତ୍ୟା ନୁହେଁ, ଆଗାମୀ ୩ ମାସ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ବାତ୍ୟା ଅମ୍ଫାନ୍ ଓଡ଼ିଶାର ବିଶେଷ କ୍ଷତି କରିବ ନାହିଁ । ଏହି ଖବର କୋଭିଡ୧୯ ମହାମାରୀରେ ବନ୍ୟା-ବାତ୍ୟା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲା ପାଇଁ କିଛି ପରିମାଣରେ ଆଶ୍ୱସ୍ତି ମିଳିଛି, କିନ୍ତୁ ଆଗାମୀ ଦିନରେ ବର୍ଷା ଜନିତ ବଢ଼ି ପାଇଁ ଏବେଠାରୁ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଏହି ମର୍ମରେ ଚିଠି ଲେଖି ଆଗାମୀ ଦିନରେ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ୧୦ଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସୂଚନାନୁସାରେ, ଜିଲ୍ଲାରେ କିରାସିନି, ଖାଦ୍ୟଶସ୍ୟ, ପେଟ୍ରୋଲ୍‌-ଡିଜେଲ୍ ଆଦି ଇନ୍ଧନ ୩ ମାସ ପାଇଁ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଇଲାକା ସାଧାରଣତଃ ବଢ଼ି ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସମ୍ଭବନା ରହିଛି ସେଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ସେଠାରେ ଡିଲର ମାନଙ୍କ ଜରିଆରେ ୩-୪ ମାସ ପାଇଁ ଏହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ନିଶ୍ଚିତ କରିବାକୁ କୁହାଯାଇଛି । ଏହି ସମସ୍ତ ପ୍ରଭାବିତ ଇଲାକାରେ ଅତିରିକ୍ତ କିରାସିନି (ଫ୍ଲୁଇଡ୍ ରିଜର୍ଭ ଷ୍ଟକ୍‌) ଯୋଗାଇଦେବା ସହ ଡିଲରମାନଙ୍କ ନିକଟରେ ଥିବା ଅତିରିକ୍ତ କିରାସିନି ଅଧିସ୍ୱୀକୃତ ଅଧିକାରୀଙ୍କ ବିନା ଅନୁମତିରେ ଯେଭଳି କିରାସିନି ବିକ୍ରି କରିପାରିବେନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଜିଲ୍ଲାରେ ଥିବା ପେଟ୍ରୋଲ୍ ପମ୍ପ୍‌ଗୁଡ଼ିକରେ ୩-୪ମାସ ପାଇଁ ଅତିରିକ୍ତ ଇନ୍ଧନ ତେଲ ମହଜୁଦ ରଖିବାର ବ୍ୟବସ୍ଥା କରିବାକୁ କୁହାଯିବା ସହ ଚୁଡ଼ା, ଗୁଡ଼ ଆଦି ଶୁଖିଲା ଖାଦ୍ୟ ନିମନ୍ତେ ଖୁବ୍ ଶୀଘ୍ର ଟେଣ୍ଡର ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳରେ ଭେଣ୍ଡରମାନଙ୍କ ସହ ଯୋଗାଯୋଗ କରି ସ୍ୱଳ୍ପକାଳୀନ ବିଜ୍ଞପ୍ତି ଜରିଆରେ ସେମାନଙ୍କ ଠାରୁ ଚୁଡ଼ା, ଗୁଡ଼ ଆଦି ସଂଗ୍ରହ କରିବାକୁ ଯୋଗାଣ ଅଧିକାରୀଙ୍କୁ ଅନୁମତି ଦିଆଯାଇଛି ।

ଏହା ସହ ଯୋଗାଣ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏନେଇ ଜିଲ୍ଲା ପ୍ରଶାସନକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ସହ ଏନେଇ ପ୍ରସ୍ତୁତ କରାଯାଇଥିବା ଯୋଜନା ଓ କାର୍ଯ୍ୟାବଳୀ ସମ୍ପର୍କରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଜଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲା ଯୋଗାଣ ବିଭାଗର ସୂଚନାନୁସାରେ, ଯେଉଁ ଡିଲରମାନଙ୍କ ଏଫ୍‌ପିଏସ୍ ଲାଇସେନ୍‌ସ ମାର୍ଚ୍ଚ ୨୦୨୧ ଯାଏଁ ବଳବତ୍‌ତର ରହିଛି ସେମାନଙ୍କୁ ଅପ୍ରିଲ୍‌-ମଇ ଓ ଜୁନ୍ ମାସର ଅତିରିକ୍ତ ଚାଉଳ କୋଟା ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲା ପାଇଁ ୧୩୭ଜଣ ଡିଲରଙ୍କ ଜରିଆରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୨୯୦ଜଣଙ୍କୁ ୧୯୩,୫୦ କ୍ୱିଂଟାଲ୍ ଚାଉଳ ପ୍ରଦାନ କରାଯାଇଛି । ଏହା ସହ ଅତିରିକ୍ତ ଚାଉଳ ଓ ଖାଦ୍ୟଶସ୍ୟ ମହଜୁଦ ରଖିବାକୁ ଗୋଦାମ ଗୃହ ଆଦିରେ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସମ୍ବନ୍ଧିତ ଖବର