୩ ଅଭିଯୁକ୍ତ ଗିରଫ,୨ ବନ୍ଧୁକ ଜବତ

ବରୁଣେଇ ସାହି ଓ ପଲ୍ଲା ଗୁଳିକାଣ୍ତ ମାମଲା,

ଖୋର୍ଦ୍ଧା: ୨୦୧୮ ମସିହା ଡିସେମ୍ବର ୨୪ ତାରିଖରେ ଖୋର୍ଦ୍ଧା ଥାନା ଅନ୍ତର୍ଗତ ବରୁଣେଇ ସାହିରେ ଓ ପଲ୍ଲା ନିକଟରେ ଘଟିଥିବା ଗୁଳିକାଣ୍ତ ଘଟଣାରେ ଟାଉନ୍ ଥାନା ପୁଲିସ୍‌ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାନୁସାରେ, ୨୦୧୮ ଜାନୁଆରୀ ୧ ତାରିଖରେ, ପଥର କ୍ବାରିକୁ କେନ୍ଦ୍ର କରି କେତେକ ଦୁର୍ବୃତ୍ତ ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ବରୁଣେଇ ସାହିର ନରେନ୍ଦ୍ର ସ୍ବାଇଁଙ୍କ ବଡ଼ ପୁଅକୁ ଗୁଳି କରି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ପୁଲିସ୍‌ ଆଇପିସିର ଧାରା ୩୪୧, ୨୯୪, ୩୨୩, ୩୨୪, ୩୦୭, ୫୦୬, ୪୩୫ ଓ ୩୪ ରେ ଏକ ମାମଲା ରୁଜୁ କରିଥିଲା। ସେହିପରି ୨୦୧୮ ଡିସେମ୍ବର ୨୪ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଲ୍ଲା ପେଟ୍ରୋଲ୍ ପମ୍ପ ନିକଟରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ। ଏଥିରେ ନରେନ୍ଦ୍ର ସ୍ବାଇଁଙ୍କ ପୁଅଙ୍କୁ କେତେକ ଦୁବୃର୍ତ୍ତ ଗୁଳି କରିଥିଲେ। ଏଥିରେ ନରେନ୍ଦ୍ର ସ୍ବାଇଁଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ତାଙ୍କ ମାଆ ସବିତା ସ୍ବାଇଁ ଟାଉନ୍ ଥାନାରେ ଏତଲା ଦେଇଥିଲେ। ଏତଲା ଭିତ୍ତିରେ ପୁଲିସ୍‌ ୪୯୨/୨୦୧୯ ଆଇପିସି ଦଫା ୩୨୬, ୩୦୭ ଓ ଆର୍ମସ୍‌ ଆକ୍ଟର ୨୫ ଓ ୨୭ ଧାରାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାସ କହିଛନ୍ତି ଯେ ଦୁଇଟି ମାମଲାରେ ସାମନ୍ତରାପୁରର ଶରତ ବେହେରା (୨୦), ମହେଶ୍ବର ସ୍ବାଇଁ ଓରଫ ଧରମା (୨୪) ଏବଂ ଠେଙ୍ଗାହାଟର ରାକେଶ ବେହେରା ଓରଫ ଚେଙ୍ଗା (୨୦)ଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନଙ୍କ ଠାରୁ ୨ଟି ବେଆଇନ ବନ୍ଧୁକ ଜବତ କରାଯାଇଛି। ଆଜିର ସମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଏସ୍‌ଡିପିଓ ସୁଶୀଳ କୁମାର ମିଶ୍ର, ଥାନା ଆଇଆଇସି ଉମା ଶଙ୍କର ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର