ଖୋର୍ଧା ଜିଲ୍ଲାସ୍ତରୀୟ କ୍ୟାମ୍ପୋରି ଉଦ୍‌ଘାଟିତ

ଜଟଣୀ : ଜଟଣୀ ବ୍ଲକ ଅଧୀନ ଜାମୁକୋଳି ପଞ୍ଚାୟତର ଲବଣଗିରି ବିଦ୍ୟାପୀଠରେ ଖୋର୍ଧା ଜିଲ୍ଲାସ୍ତରୀୟ ୨୪ତମ ଭାରତ ସ୍କାଉଟ୍‌ ଗାଇଡ୍‌ କ୍ୟାମ୍ପୋରି ଆଜି ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା କମିସନର୍‌ ବୃନ୍ଦାବନ ଶତପଥୀଙ୍କ ପୌରୋହିତ୍ୟରେ ଓଡ଼ିଶା ରାଜ୍ୟ ମୁଖ୍ୟ କମିସନର୍‌ କାଳୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି, ରାଜ୍ୟ ସଂପାଦକ ରାମମୂର୍ତ୍ତି ଦୋରା ମୁଖ୍ୟବକ୍ତା ଏବଂ ଓଡ଼ିଶା ରାଜ୍ୟର ଦୁଇ ବରିଷ୍ଠ ପ୍ରଶାସକ ସୁକାନ୍ତ କୁମାର ପ୍ରଧାନ ଓ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନିତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଲବଣଗିରି ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଜାନକୀ ବଲ୍ଲଭ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ପୀତବାସ ପଟ୍ଟନାୟକ, ଦିବାକର ପଟ୍ଟନାୟକ, ପଠାଣୀ ଆଗ୍ରାସିଂ ଏବଂ ସଂଯୁକ୍ତା ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି କ୍ୟାମ୍ପୋରି ୩ ଦିନ ଧରି ଚାଲିବ। ଏଥିରେ ଜଟଣୀ ବ୍ଲକ୍‌ ସମେତ ଖୋର୍ଧା, ବୋଲଗଡ଼, ବେଗୁନିଆ, ଚିଲିକା, ବାଣପୁର, ଟାଙ୍ଗୀ, ବାଲିଅନ୍ତା ଏବଂ ଭୁବନେଶ୍ୱର ବ୍ଲକ୍‌ର ୧୦୨୦ଜଣ ସ୍କାଉଟ ଗାଇଡ୍‌, ରୋଭର୍‌, ବୁଲ୍‌ବୁଲ୍‌ ଶିବିରାର୍ଥୀ ଭାଗ ନେଉଛନ୍ତି। ସେମାନଙ୍କୁ ଦୁଃସାହାସିକ କଳା କୌଶଳ, ତାରଜନ ଜମ୍ପିଂ, ଫାୟାର୍‌ ଜମ୍ପିଂ ବିପଦ ସମୟରେ ଉଦ୍ଧାର କାର୍ଯ୍ୟ ସଂପାଦନ କରିବାର ବିଭିନ୍ନ କୌଶଳ ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି ସଂଯୋଜକ ଭୁବନାନନ୍ଦ ରାଉତ ପ୍ରକାଶ କରିଥିଲେ। ଏହି ଅବସରରେ ‘ଜାଗୃତି’ ନାମକ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର