ଯୌତୁକ ପାଇଁ କିରାସିନି ପକାଇ ବୋହୂକୁ ଜାଳିଦେଲେ ଶାଶୁ ଓ ଶ୍ୱଶୁର

ଭୁବନେଶ୍ୱର : ଯୌତୁକ ପାଇଁ କିରାସିନି ପକାଇ ବୋହୂକୁ ଜାଳିଦେଲେ ଶାଶୁ ଓ ଶ୍ୱଶୁର। ଏପରି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗାଁରେ। ଯୌତୁକ ପାଇଁ କିଭଳି ଅତି ଅମାନୁଷିକ ଭାବେ ତାଙ୍କୁ ପୋଡି ଦିଆଯାଇଥିଲା ମୃତ୍ୟୁ ପୂର୍ବରୁ ଏନେଇ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ପୀଡିତା। କହିଛନ୍ତି, କେମିତି ରଚାଯାଇଥିଲା ହତ୍ୟା ପାଇଁ ଷଡଯନ୍ତ୍ର। ଯୌତୁକ ପାଇଁ କେମିତି ଶାଶୁଘର ତାଙ୍କ ଉପରେ କିରାସିନି ଢାଳି ଦେଇଥିଲେ। ଆଉ ଶେଷରେ ନିଆଁରେ ଛଟପଟ ହୋଇ ପୋଡି ଯାଇଥିଲେ ପୀଡିତା। ଜୀବନ ସହ ସଂର୍ଘଷ କରିବା ପରେ ଶେଷରେ ପ୍ରାଣ ହରାଇଥିଲେ ପୀଡିତା।

(ମୋ ସ୍ୱାମୀ, ଶ୍ୱଶୁର ଓ ଶାଶୁ ମୋ ଦେହରେ କିରାସିନି ପକାଇ ଜାଳିଦେଲେ। ପୁଅ ଧରିଥିବା ବେଳେ ଶାଶୁ ଓ ଶ୍ୱଶୁର କିରାସିନି ପକାଇଥିଲେ। ଘରୁ ଦୌଡିକି ବାହାରକୁ ଆସିଥିଲେ ମଧ୍ୟ ଆଉ କିଛି ନଥିଲା। ଏପରିିକି କିରାସିନି ଢାଳିବା ପୂର୍ବରୁ ସବୁବେଳେ କଳି କଜିଆ କରୁଥିଲେ ଆଦୌ ଭଲରେ ଚଳାଇ ଦେଉନଥିଲେ ବୋଲି ମୃତ୍ୟୁ ପୂର୍ବରୁ କହିଥିଲେ ପୀଡିତା ଚନ୍ଦ୍ରକାନ୍ତୀ)। ଶାଶୁଘର ପରିବାର ଲୋକଙ୍କ ଉପରେ ଆଣିଥିଲେ ହତ୍ୟା ଅଭିଯୋଗ। ମୃତ୍ୟୁର ଷଡଯନ୍ତ୍ର କିଏ ରଚିଥିଲା ଏବଂ କିପରି କିରାସିନି ଢାଳି ତାଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା ସେ କଥା ବଖାଣିଥିଲେ ପିଡିତା।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗର ଗାଁର ଘଟଣା । ୨୦୧୦ ମସିହାରେ ଚନ୍ଦ୍ରକାନ୍ତୀ ବାରିକ ରୀତିନୀତି ଅନୁସାରେ ଦେବାଶିଷ ବାରିକଙ୍କୁ ବିବାହ କରିଥିଲେ। ଆଉ ଏକ ସୁନେଲୀ ଦାମ୍ପତ୍ୟ ଜୀବନର ସ୍ୱପ୍ନ ଦେଖିଥିଲେ। ହେଲେ ସ୍ୱପ୍ନ ରହିଗଲା ସ୍ୱପ୍ନରେ। ଶାଶୁଘରେ ବଦଳିଯାଇଥିଲା ସବୁକିଛି। ଅଧିକ ଯୌତୁକ ପାଇଁ ଚାପ ପଡିଥିଲା। ଏପରିକି ଚନ୍ଦ୍ରକାନ୍ତୀଙ୍କ ବାପାଙ୍କୁ ୫୦ ହଜାର ଟଙ୍କା ଏବଂ ଏକ ବାଇକ ଦେବା ପାଇଁ ବାଧ୍ୟ କରାଯାଇଥିଲା । ହେଲେ ଶାଶୁଘର ଲୋକେ କିଛି ହାସଲ ନକରିପାରିବାରୁ ଶେଷରେ ରଚିଥିଲେ ଏହି ଭୟଙ୍କର ଷଡଯନ୍ତ୍ର। ସବୁଦିନ ପାଇଁ ଚନ୍ଦ୍ରକାନ୍ତୀଙ୍କୁ ଚୁପ କରିବାକୁ ତାଙ୍କ ଦେହରେ କିରାସିନି ପକାଇ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ। ଚନ୍ଦ୍ରକାନ୍ତୀଙ୍କ ଶରୀର ୯୦ଭାଗ ପୋଡିଯାଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସେ ଆଖି ବୁଜି ଦେଇଛନ୍ତି। ମାମଲା ଏବେ ଥାନାରେ ପହଞ୍ଚିଛି। ମୃତ୍ୟୁ ପୂର୍ବରୁ ଚନ୍ଦ୍ରକାନ୍ତୀଙ୍କ ଏହି ବୟାନ ଏବେ ହତ୍ୟାକାରୀଙ୍କ ହୋସ ଉଡେଇ ଦେଇଛି।

ସମ୍ବନ୍ଧିତ ଖବର