ହାଇପ୍ରୋଫାଇଲ ଠକ ଗିରଫ : ଦାମୀ କାର୍ ସମେତ ୪୦ ଲକ୍ଷର ସମ୍ପତ୍ତି ଜବତ

ଡାକ୍ତରଙ୍କ ପୁଅକୁ ମେଡିକାଲ୍ କଲେଜରେ ନାମ ଲେଖାଇଦେବା କହି ୨୫ ଲକ୍ଷ ନେଇଥିଲା

ଖୋର୍ଧା : ବିଭିନ୍ନ ଉପାୟରେ ବଡ଼ ବଡ଼ିଆଙ୍କୁ ଠକି ସେମାନଙ୍କର କାମ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଏମବିଏ ଡିଗ୍ରିଧାରୀ ହାଇପ୍ରୋଫାଇଲ୍ ଠକକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ସ୍ୱର୍ଗତ ଅଜୟ ଚନ୍ଦ୍ର ଦାସଙ୍କ ପୁଅ ପ୍ରଦୋଷ ଦାସ(୪୩) ବୋଲି ଜଣାପଡ଼ିଛି। ଗିରଫ ସମୟରେ ପ୍ରଦୋଷଠାରୁ ଜନୈକ ଭବାନୀ ପଣ୍ଡା ଦେଇଥିବା ୮୪ ଲକ୍ଷ ଟଙ୍କାର ଏକ ଚେକ୍ ସହ ୪୦ ଲକ୍ଷ ଟଙ୍କା ମୁଲ୍ୟର ସାମଗ୍ରୀ ଜବତ କରାଯାଇଛି।

ସୂୁଚନାନୁଯାୟୀ, ପ୍ରଦୋଷ ଏମବିଏ ସାରି ଇନଫୋସିସରେ କାମ କରୁଥିବା ବେଳେ ଅଳ୍ପ ବେତନ ପାଇ ଅସନ୍ତୁଷ୍ଟ ଥିଲେ। ଅଧିକ ଅର୍ଥ ଉପାର୍ଜନ ପାଇଁ ସେ ବିଭିନ୍ନ ମେଡିକାଲ କଲେଜରେ ପଢ଼ିବାକୁ ଚାହୁଥିବା ଆଶାୟୀଙ୍କୁ ସେ ଜାଲରେ ପକାଇବାକୁ ଉଦ୍ୟମ କରିଥିଲେ। ଏଥିରେ ଫସି ଯାଇଥିଲେ କଟକ ମର୍କତ ନଗର ସିଡିଏରେ ରହୁଥିବା ଡା.ତ୍ରିଲୋଚନ ବାରିକ। ନିଜ ପୁଅକୁ ଡାକ୍ତରୀ ପଢ଼ାଇବାକୁ ଡା. ଇଛୁକ ଥିବା ଜାଣି ପାରି ପ୍ରଦୋଷ ଥୋପ ପକାଇଥିଲା। ବାଙ୍ଗାଲୋର ସ୍ଥିତ ସେଣ୍ଟ ଜୋନ୍ସ ଏକାଡେମି ଅଫ୍ ମେଡିକାଲ ସାଇନ୍ସରେ ନାଁ ଲେଖାଇଦେବାକୁ ୨୫ ଲକ୍ଷ ପଡ଼ିବ ବୋଲି ପ୍ରଦୋଷ କହିଥିଲେ। ଏଥିରେ ଭରସା କରି ଡା. ବାରିକ ପ୍ରଦୋଷର ଖୋର୍ଧା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଥିବା ଜମାଖାତାକୁ ୪ଟି କିସ୍ତିରେ ୨୪ ଲକ୍ଷ ୨୫ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ। ଏହା ପରେ ପ୍ରଦୋଷ ସେଣ୍ଟ ଜୋନ୍ସ ମେଡିକାଲ କଲେଜର ଏକ ଚିଠି ଡାକ୍ତରଙ୍କୁ ମେଲ ମାଧ୍ୟମରେ ପଠାଇଥିଲେ। ମାତ୍ର ପରେ ତାହା ନକଲି ଚିଠି ଥିବା ଡା. ବାରିକ ସ୍ପଷ୍ଟ ହୋଇ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ଫଳରେ ସେ ଖୋର୍ଧ ଟାଉନ ଥାନାରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ।

ଥାନା ପକ୍ଷରୁ ଅଭିଯୁକ୍ତ ସମ୍ପର୍କରେ ତନାଘନା ଚାଲିବା ସହ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ସମିତା ମିଶ୍ରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ପରେ ଅଭିଯୁକ୍ତ ସମ୍ପର୍କରେ ସମସ୍ତ ବିବରଣୀ ଜାଣିବା ସହ ଖୋର୍ଧା ଷ୍ଟେଟ ବ୍ୟାଙ୍କରେ ଥିବା ଜମାଖାତାକୁ ଏସପି ଦୀପ୍ତିରଞ୍ଜନ ରାୟଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିଲା। ଏ ବିଷୟରେ ପ୍ରଦୋଷ ଜାଣିବା ପରେ ଏସପିଙ୍କୁ ଫୋନ୍ ମାଧ୍ୟମରେ ଆକାଉଣ୍ଟ ବନ୍ଦ ସମ୍ପର୍କରେ ପଚାରିଥିଲା। ତେବେ ଉକ୍ତ ଫୋନ୍ ନମ୍ବରକୁ ଟ୍ରାକ୍ କରି ତଦନ୍ତକାରୀ ଅଧିକାରୀ ସମିତା ମିଶ୍ର ସଦଳବଳ ଗତକାଲି ଯାଆଁଳା ସ୍ଥିତ ନିର୍ମାଲ୍ୟ ଆପାର୍ଟମେଣ୍ଟରେ ଚଢ଼ଉ କରି ଅଭିଯୁକ୍ତକୁ ଧରିଥିଲେ। ତା ପାଖରୁ ଏକ ଦାମୀ କାର(ଓଡି-୩୩ପି-୯୧୯୨) ଏବଂ ସ୍କୁଟି(ଓଡି-୦୨ପି-୬୭୧୫) ସମେତ ଆପଲ୍ ଲାପଟପ୍, କାନନ ପ୍ରିଣ୍ଟର, ଦୁଇଟି ଏଲ୍ଇଡି ଟିଭି, ୬ଟି ଦାମୀ ମୋବାଇଲ ଫୋନ୍, ୪ଟି ହାତ ଘଣ୍ଟା, ୯ଟା ସିମ୍ କାର୍ଡ, ଦୁଇଟି ନକଲି ଭିଜିଟିଂ କାର୍ଡ, ୧୦ଟି ସ୍ମାର୍ଟ କାର୍ଡ ଓ ଡେବିଟ୍ କାର୍ଡ, ଗୋଟିଏ ପାସପୋର୍ଟ, ୨ଟି ସୁନା ଲକେଟ୍, ୨ଟି ମୁଦି ଆଦି ଜବତ କରାଯାଇଛି। ତେବେ ଅଭିଯୁକ୍ତ ଜଣକ ଆହୁରି ବିଭିନ୍ନ ଅଭିଯୋଗରେ ସମ୍ପୃକ୍ତ ଥିବା ଏବଂ ବହୁଲୋକଙ୍କୁ ବିଭିନ୍ନ ଉପାୟରେ ଠକିଥିବା ମଧ୍ୟ ଅନେକ ଥାନାରେ ରହିଥିବା ବିଷୟ ଆଜି ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ରାୟ ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ କୋର୍ଟ ଫରଆର୍ଡ଼ କରାଯାଇଥିବା ବେଳେ ପରେ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ ବୋଲି ଏସପି କହିଛନ୍ତି। ଏହି ସମ୍ମିଳନୀରେ ଏସଡିପିଓ ଯୁଗଳ କିଶୋର ଦାସ ଏବଂ ତଦନ୍ତକାରୀ ଅଧିକାରୀ ସମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର