ଜଟଣୀରେ ପୁଣି ଉଚ୍ଛେଦ ଅଭିଯାନ : ମାଟିରେ ମିଶିଲା ୨୨ କୋଠା

ଖୋର୍ଧା/ ଜଟଣୀ : କିଛି ଦିନର ନିରବତା ପରେ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଟଣୀ ସହରରେ ଆଜି ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି। ଜଟଣୀର ବହୁ ପ୍ରତୀକ୍ଷିତ ଫ୍ଲାଇଓଭର ନିର୍ମାଣରେ ବାଧକ ସାଜିଥିବା ୭ଟି ଦୁଇ ମହଲା କୋଠା ସହ ୨୨ଟି ଦୋକାନ ଗୃହକୁ ଆଜି ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଏହି ଉଚ୍ଛେଦ ଅଭିଯାନ ଆଗକୁ ଅବ୍ୟାହତ ରହିବ ବୋଲି ପ୍ରାଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି।

ସୂଚନା ଥାଉ କି, ଜଟଣୀ ସହରରେ ବେଆଇନ ଜବରଦଖଲ ଯୋଗୁଁ ଲୋକଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା। ପୂର୍ବରୁ ପ୍ରାୟ ଦେଢ଼ ବର୍ଷ ତଳେ ସହରର ସୀତାରାମ ଛକ, ବଡ଼ ବଜାର ଛକ ଓ କୁଦିଆରୀ ବଜାରରେ ୩୫୦ରୁ ଅଧିକ ବେଆଇନ ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା। ତେବେ ଏହି ଜବରଦଖଲ ଯୋଗୁଁ ବିଶେଷ କରି ଜଟଣୀ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନଥିଲା। ଫଳରେ ସାଧାରଣରେ ଅସନ୍ତୋଷ ଦେଖା ଦେଉଥିଲା। ଆଜି ସକାଳ ୯ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ଉପଜିଲ୍ଲାପାଳ ମାନସ ରଂଜନ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ବଡ଼ ବଜାରରେ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରଥମେ କେତେକ ଜବରଦଖଲକାରୀ ପ୍ରଶାସନର ଏହି କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାଶାସନିକ ଏବଂ ପୁଲିସ ଅଧିକାରୀମାନେ ସେମାନଙ୍କ ସହିତ ଆଲୋଚନା କରିବା ପରେ ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ କରାଯାଇଥିଲା। ଏଥିରେ ୭ଟି ଦୁଇ ମହଲା କୋଠା ସହିତ ୨୨ଟି ଦୋକାନ ଓ ବାସଗୃହ ଭାଙ୍ଗିଦିଆଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗୋଟିଏ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା। ଜଟଣୀର ଭାରପ୍ରାପ୍ତ ତହସିଲଦାର ସୁଜାତା ମହାନ୍ତି, ଅତିରିକ୍ତ ତହସିଲଦାର ସୁପ୍ରଭା ଦାସ, ବିଶ୍ୱଜିତ ମିଶ୍ର, ଏସିପି ପ୍ରାଣକୃଷ୍ଣ ରାଉତ, ପୂର୍ତ୍ତ ବିଭାଗ ଏସ୍‌ଡିଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜଟଣୀ ପୌର ଅଧିକାରୀ ଲଳିତା କାପୁର, ଜଟଣୀ ଥାନାଧିକାରୀ ସଂଜୀବ ମହାନ୍ତି ପ୍ରମୁଖ ପଦସ୍ଥ ଅଫିସର ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଆଜିର ଉଚ୍ଛେଦ ପ୍ରକ୍ରିୟା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା।

ସମ୍ବନ୍ଧିତ ଖବର