ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ପାୱାର ଟିଲର୍ ଚଢ଼ାଇ ଦେଲେ ପଥର ମାଫିଆ
ଅନ୍ୟ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ, ୨୦ ଜଣଙ୍କ ନାଁରେ ମାମଲା
ଖୋର୍ଧା/ଟାଙ୍ଗୀ : ବେଆଇନ ଖଣି କାର୍ଯ୍ୟ ବନ୍ଦ କରାଇବାକୁ ଯାଇଥିବା ବେଳେ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନା ପଥର ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ପଥର ମାଫିଆମାନେ ତାଙ୍କ ଡାହାଣ ଗୋଡ଼ ଉପରେ ଏକ ପାୱାର ଟିଲର୍ ମଡ଼ାଇ ଦେବାରୁ ସେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତେବେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଉଥିବା ଜାଣିପାରି ତହସିଲଦାର ଶ୍ରୀ ଜେନା ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ। ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଚିକିତ୍ସା କରାଯାଉଛି। ସେହିପରି ତାଙ୍କ ସହ ଏହି ଚଢ଼ଉରେ ସାମିଲ ଥିବା ଅନ୍ୟ ୩ ତହସିଲ କର୍ମଚାରୀମାନଙ୍କୁ ମଧ୍ୟ ପଥର ମାଫିଆଙ୍କ ଗୋଡ଼େଇ ଗୋଡ଼େଇ ପିଟିବାରୁ ସେମାନେ ଆହତ ହୋଇଛନ୍ତି। ଆହତମାନେ ହେଲେ, ଗଦାଧର ବେହେରା, ଭଜମନ ମଙ୍ଗରାଜ, କେଶବ ପ୍ରଧାନ ପ୍ରମୁଖ। ଏନେଇ ବିଳମ୍ବିତ ରାତିରେ ଟାଙ୍ଗୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ନମ୍ବର ୩୪୧/୧୭ରେ ମୋଟ ୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଟାଙ୍ଗୀ ଥାନା ଏସ୍ଆଇ ପି.କେ ନାୟକ ଏହି ଘଟଣାର ତଦନ୍ତ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ତହସିଲଦାର ଶ୍ରୀ ଜେନା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ବଡ଼ପୋଖରିଆ ନିକଟ ପାତ୍ରପଡ଼ା ଖଣିରେ ସଦଳବଳେ ଚଢ଼ଉ କରିଥିଲେ। ଖଣି ଭିତରେ ଥିବା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍, ଟ୍ରାକ୍ଟର୍, ଜେସିବି ଓ ପାୱାର୍ ଟିଲରକୁ ଜବତ କରିବାକୁ ତହସିଲଦାର ଓ ତାଙ୍କ ସହଯୋଗୀମାନେ ଉଦ୍ୟମ କରିବା ସମୟରେ ପଥରମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ପଥରକଟାରେ କାର୍ଯ୍ୟରତ ପ୍ରାୟ ୨୦ରୁ ଊର୍ଧ୍ୱ ବ୍ୟକ୍ତି ତହସିଲଦାରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ନିକଟରେ ଥିବା ଏକ ପାୱାରଟିଲର୍କୁ ସେମାନେ ତହସିଲଦାରଙ୍କ ଉପରକୁ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିରେ ତହସିଲଦାର ଶ୍ରୀ ଜେନା ଗୁରୁତର ଆହତ ହୋଇଥିଲେ। ପ୍ରାଣ ବିକଳରେ ସେ ମାଫିଆଙ୍କ କବଳରୁ ଖସି ଯାଇଥିଲେ। ଏନେଇ ତହସିଲଦାର ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ଗତ ୨୬ ତାରିଖରେ ଟାଙ୍ଗୀ ତହସିଲଦାର ନିରାକାରପୁର ଅଞ୍ଚଳରେ ଚଢ଼ଉ କରି ୫ଟି ଗାଡ଼ି ଜବତ କରିଥିଲେ। ସେଥିମଧ୍ୟରୁ ଜବତ ୨ଟି ଟ୍ରକ୍କୁ ରାମେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ, ୨ଟି ହାଇୱା ଟାଙ୍ଗୀ ତହସିଲ କାର୍ଯ୍ୟାଳୟକୁ ଅଣାଯାଇଥିଲା। କିନ୍ତୁ ଏହି କାର୍ଯ୍ୟାଳୟ ପରିସରରୁ ଗତକାଲି ୨ଟି ହାଇଓ୍ଵାକୁ (ଓଡି-୦୨-ଏଏଫ-୧୦୭୨), (ଓଡି-୦୨-ଏଏଫ-୬୨୭୨) ଅପହରଣ କରି ନିଆଯାଇଥିବା ସମ୍ପର୍କରେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସେହିପରି ଗତ ୧୨ ତାରିଖରେ ନିରାକାରପୁର ଅଞ୍ଚଳରୁ ୬ଟି ଟ୍ରାକ୍ଟର ଜବତ କରାଯାଇଥିଲା। ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଗାଡ଼ିଗୁଡ଼ିକୁ ରଖାଯାଇଥିବା ବେଳେ ୧୪ ତାରିଖରେ ଜବତ ଗାଡ଼ିଗୁଡ଼ିକ ମଧ୍ୟରୁ ୨ଟି ଟ୍ରାକ୍ଟରକୁ ମାଫିଆମାନେ ବଳପୂର୍ବକ ନେଇ ଯାଇଥିଲେ। ଏ ସମ୍ପର୍କରେ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ତହସିଲଦାର ଶ୍ରୀଜେନା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ଏ ସମ୍ପର୍କରେ ଖୋର୍ଧା ଜିଲ୍ଲାପାଳ ଓ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।