ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦାଫାସ୍‌ : ଶାଳୀ ସହ ସଂପର୍କ ଦେଖିଦେବାରୁ ହତ୍ୟା

ମୁଖ୍ୟ ଅଭିଯୁକ୍ତ କୁନୁ ଗିରଫ

ଖୋର୍ଧା : ବହୁଚର୍ଚ୍ଚିତ ଉଗ୍ରତାରା ନୋଡାଲ ସ୍କୁଲ ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟା ଘଟଣାର ପର୍ଦାଫାସ୍‌ ହୋଇଛି। ମୁଖ୍ୟ ଅଭିଯୁକ୍ତକୁ ଖୋର୍ଧା ଜିଲ୍ଲା ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଗିରଫ କରିଛି। ହତ୍ୟାକାରୀ ଜଣକ ହେଲା, ଜଟଣୀ ଥାନା ଅନ୍ତର୍ଗତ ହରିଡ଼ାମଡ଼ା ଗ୍ରାମର କୁନୁ ଜେନା। କୁନୁ ତା’ର ଜଣେ ସଂପର୍କୀୟା ଶାଳୀ ସହ ଥିବା ଅନୈତିକ ସଂପର୍କ ରଖିବା ସମୟରେ ଅଞ୍ଜଳି ଏହା ଦେଖିଦେବାରୁ ପାପ ପ୍ରଘଟ ହେବା ଭୟରେ ସେ ଅଞ୍ଜଳିଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି। ପୁଲିସ ତା’ ଘରୁ ରକ୍ତଲଗା ପୋଷାକ, ଅଞ୍ଜଳିଙ୍କ ମୋବାଇଲର ସିମ୍‌ କାର୍ଡ, ବାଉଁଶ ହାଣିବା ପାଇଁ ବ୍ୟବହାର କରିଥିବା କଟୁରୀ ଓ ବାଇକ୍‌କୁ ଜବତ କରିଛି। ନିରାକାରପୁର ପୁଲିସ ଆଜି କୁନୁକୁ କୋର୍ଟ ଚାଲାଣ କରିଛି।

ପୁଲିସର ସୂଚନା ଅନୁଯାୟୀ, ବଡ଼ପୋଖରିଆ ଶବରପଲ୍ଲୀରେ ରହୁଥିବା ଶିକ୍ଷୟିତ୍ରୀ ଅଞ୍ଜଳିଙ୍କ ଭଡ଼ାଘରକୁ ଲାଗି କୁନୁର ଶ୍ୱଶୁର ଘର। ଗତ ୩ ତାରିଖ ଦିନ ସେ ଶ୍ୱଶୁର ଘରକୁ ଯାଇଥିଲା। ସେହି ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ କୁନୁ ତା’ର ଜଣେ ସଂର୍ପକୀୟ ଶାଳୀ ସହ ମସଗୁଲ୍‌ ଥିଲା ବେଳେ ଅଞ୍ଜଳି ଏହା ଦେଖି ଦେଇଥିଲେ। ଏ ସଂପର୍କରେ କାହାକୁ କିଛି ନ କହିବାକୁ କୁନୁ ନିବେଦନ କରିଥିଲେ ହେଁ ଘଟଣା ପ୍ରଘଟ କରିଦେବେ ବୋଲି ଅଞ୍ଜଳି ଧମକ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଞ୍ଜଳିଙ୍କୁ ହତ୍ୟା କରିବା ପାଇଁ କୁନୁ ସେହି ମୁହୂର୍ତରୁ ଯୋଜନା କରିଥିଲା।

ତେବେ ଯେପରି କାହାର ସନ୍ଦେହ ନ ହେବ, ସେଥିପାଇଁ ୪ ତାରିଖ ଦିନ ୧୧ଟା ବେଳେ କୁନୁ ବଡ଼ପୋଖରିଆରୁ ବସ୍‌ରେ ନିଜ ଗ୍ରାମ ହରିଡ଼ାମଡ଼ାକୁ ଚାଲି ଯାଇଥିଲା। ଘରେ ମୋବାଇଲ ଛାଡ଼ି ଦିନ ପ୍ରାୟ ୩ଟାରେ ଏକ ବାଇକ୍‌ (ଓଡି-୦୨-ଏ-୫୦୩୭)ରେ ପୁଣି ବଡ଼ପୋଖରିଆକୁ ଆସିଥିଲା। ଅଞ୍ଜଳି ସ୍କୁଲରୁ ଫେରୁଥିବା ବଡ଼ପୋଖରିଆ ଓ ହରିପୁର ମଝି ରାସ୍ତା ଶୂନଶାନ୍‌ ହୋଇଥିବାରୁ ସେ ସେହିଠାରେ ଲୁଚି ରହିଥିଲା। ଉଗ୍ରତାରା ନୋଡାଲ ସ୍କୁଲ ଛୁଟି ହେବା ପରେ ଅପରାହ୍‌ଣ ପ୍ରାୟ ୪ଟା ୨୫ରେ ଅଞ୍ଜଳି ଘରକୁ ଫେରୁଥିବା ବେଳେ କୁନୁ ତାଙ୍କୁ ଏକ ବାଉଁଶ ଫାଳିଆରେ ଆକ୍ରମଣ କରିଥିଲା। ‘ମୋ ନାଁରେ କାହାକୁ କଣ କହିବୁ’ କହି ରାଗରେ ଅଞ୍ଜଳିଙ୍କ ମୁଣ୍ଡକୁ ପାହାର ପରେ ପାହାର ପକାଇଥିଲା। ଏଥିରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଯିବା ପରେ ସେ ତାଙ୍କ ମୋବାଇଲକୁ ସୁଇଚ୍‌ ଅଫ୍‌ କରି ନିଜ ଗ୍ରାମ ହରିଡାମଡ଼ାକୁ ପଳାଇଥିଲା। ତେବେ ଧରାପଡ଼ିଯିବା ଭୟରେ ସେ ଘରେ ନ ରହି କାମ ଅନେ୍ଵଷଣର ବାହାନା କରି ସୁରତ ପଳାଇ ଯାଇଥିଲା। ଅନୁସନ୍ଧାନ ବେଳେ ପୁଲିସ ସନ୍ଦେହରେ କୁନୁକୁ ଜଣେ ସଂପର୍କୀୟଙ୍କ ଜରିଆରେ ସୁରତ୍‌ରୁ ଡକାଇ ପଚରାଉଚରା କରିବାରୁ ସେ ଦୋଷ ମାନି ଯାଇଥିଲା।

ସମ୍ବନ୍ଧିତ ଖବର