ଖୋର୍ଧା : ଓଡ଼ିଶା ଦରିଦ୍ର୍ୟ ନୁହେଁ। ବିଶାଳ ସମୁଦ୍ର କୂଳ, ଜଙ୍ଗଲ ଓ ଖଣିଜ ସମ୍ପଦରେ ଭରପୂର ଏହି ରାଜ୍ୟକୁ ଗରିବ କରିଦିଆଯାଉଛି। ରାଜ୍ୟର ଏହି ପ୍ରାକୃତିକ ସମ୍ପଦକୁ ଲୁଟି ନିଆଯାଉଛି। ଦିନକୁଦିନ ରାଜ୍ୟର ଚାଷୀ ଓ ଯୁବକମାନଙ୍କର ଅବସ୍ଥା ତଳକୁ ତଳ ହେଉଛି। ଓଡ଼ିଶାର ଗୌରବକୁ ଫେରାଇ ଆଣିବା ପାଇଁ ଏ ମାଟିର ବୀରତ୍ଵକୁ ସ୍ମରଣ କରି ଯୁବ ସମାଜ ଉଦ୍ୟମ କରିବା ଉଚିତ ବୋଲି ଖୋର୍ଧା ଷ୍ଟାଡିୟମଠାରେ ଚାଲିଥିବା ଖୋର୍ଧା ମହୋତ୍ସବର ଆଜି ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମତପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଖୋର୍ଧା ମହୋତ୍ସବ ଆୟୋଜକ କମିଟିର ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଶ୍ରୀଚନ୍ଦନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଆଜି ସନ୍ଧ୍ୟାର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଅନନ୍ତ ସେଠୀ, କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି, ଜୟନ୍ତ ଷଡ଼ଙ୍ଗୀ, ବିପିନ କୁମାର ଜୟସିଂହ, ମଙ୍ଗୁଳି ଜେନା, ନିକୁଂଜ ପଟ୍ଟନାୟକ, ଦୁଃଶାସନ ସ୍ୱାଇଁ, ଡ. ଧୀରେନ୍ଦ୍ର ନନ୍ଦ, ସଂଜୟ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନ୍ୟୁ ଥିଙ୍କିଙ୍ଗ୍ ଫୋରମର ସଭାପତି ନରେନ୍ଦ୍ର କୁମାର ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିଲେ। ସର୍ବଶ୍ରୀ ବିଧାନ ଚନ୍ଦ୍ର ମହାନ୍ତି, ଡ. ପ୍ରଫୁଲ୍ଲ କୁମାର ସାମନ୍ତରାୟ, ପ୍ରେରଣା ପ୍ରତୀକ୍ଷା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜି ସନ୍ଧ୍ୟାରେ ପାରମ୍ପରିକ ଲୋକ ନୃତ୍ୟ ସାଙ୍ଗକୁ ପାଇକ ଆଖଡ଼ା, ଓଡ଼ିଶୀ ନୃତ୍ୟ , ଓଡ଼ିଶାର ଲୋକ ନୃତ୍ୟ ଓ ଦେଶାତ୍ମକବୋଧ ଗୀତ ଉପରେ ଅଧାରିତ ନୃତ୍ୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ବିଶେଷ କରି ଇନ୍ଦିରା ପବ୍ଲିକ ସ୍କୁଲର ପାଇକ ଆଖଡ଼ା, ସିଗ୍ମା ପବ୍ଲିକ ସ୍କୁଲର ଭଜନ ଓ ଲୋକ ନୃତ୍ୟ, ସଂଗୀତମ୍ ପଳାସର ଡାଲଖାଇ, ସାଇମାଙ୍ଗଲ୍ୟ, କୁରାଢ଼ମଲ୍ଲର ସମ୍ବଲପୁରୀ ନୃତ୍ୟ , ପଟ୍ଟମୁଣ୍ଡାଇ ଗଡ଼ ମେକର ଅନୁଷ୍ଠାନର କୃଷ୍ଣଲୀଳା ମନମୁଗ୍ଧକର ହୋଇଥିଲା।