ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଖୋର୍ଧା/ନିରାକାରପୁର : ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ମଳିପଡ଼ା କଲେଜ ମୁଖ୍ୟ ଫାଟକଠାରୁ ମାତ୍ର ୫୦ଫୁଟ୍‌ ଦୂରରୁ ଆଜି ଜଣେ ଯୁବକଙ୍କ ରକ୍ତଭିଜା ମୃତଦେହକୁ ଜଙ୍କିଆ ପୁଲିସ ଜବତ କରିଛି। ମୃତ ଯୁବକଙ୍କ ନାମ ଅରୁଣ ନାୟକ ଓରଫ ଅରୁ (୩୦)। ଘର ମଳିପଡ଼ା ଦଳିତ ସାହିରେ। ପୁଲିସ ଅରୁଣଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ ଅରୁଣଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ଭୀମସେନ୍‌ ନାୟକ ଅଭିଯୋଗ କରିବାରୁ ପୁଲିସ ନମ୍ବର ୨୦୬/୧୭ରେ ଏକ ମାମଲା ରୁଜୁ କରିବା ସହ ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ମୃତଦେହ ନିକଟରୁ ପୁଲିସ ଏକ ରକ୍ତଭିଜା ପଥରକୁ ଜବତ କରିଥିବା ଜଣାଯାଇଛି।

ଭୀମସେନ୍‌ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସେହି ସାହିର ଜଗନ ନାୟକ ଓ ବାପିନା ନାୟକ ରବିବାର ସଂଧ୍ୟାରେ ଅରୁଣଙ୍କୁ ଘରୁ ଡାକି ନେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଅରୁଣ ଘରକୁ ନ ଫେରିବାରୁ ଅରୁଣଙ୍କ ସ୍ତ୍ରୀ ତାଙ୍କୁ ଫୋନ୍‌ କରିଥିଲେ। ପାଟିତୁଣ୍ଡ ହେଉଥିବା ଅର୍ଜୁନଙ୍କ ସ୍ତ୍ରୀ ଫୋନ୍‌ରେ ଶୁଣିବାକୁ ପାଇବାରୁ ଶୀଘ୍ର ଘରକୁ ଫେରିଆସିବା ପାଇଁ ସେ ଅରୁଣଙ୍କୁ କହିଥିଲେ। କିନ୍ତୁ ସକାଳ ପର୍ଯ୍ୟନ୍ତ ଅରୁଣ ଘରକୁ ନ ଫେରିନଥିଲେ କି ତାଙ୍କ ଫୋନ୍‌ ଲାଗିନଥିଲା। ସନ୍ଦେହ ହେବାରୁ ପରିବାରଲୋକେ ସକାଳୁ ବହୁ ଖୋଜାଖୋଜି କରିଥିଲେ। ତେବେ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ମଳିପଡ଼ା କଲେଜର ମୁଖ୍ୟ ଫାଟକଠାରୁ ମାତ୍ର ୫୦ଫୁଟ୍‌ ଦୂରରେ ଅରୁଣଙ୍କ ଶବ ପଡ଼ିଥିବା ପରିବାରଲୋକେ ଦେଖିବାକୁ ପାଇ ଜଙ୍କିଆ ପୁଲିସକୁ ଖବର ଦେଇଥିଲେ। ଅରୁଣଙ୍କ ଡାହାଣପଟ କାନ ଏବଂ ମୁହଁକୁ ଦୁର୍ବୃତ୍ତମାନେ ପଥରରେ ଛେଚି ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର