ଟାଙ୍ଗୀ(ଖୋର୍ଧା): ଏସିଆ ମହାଦଶର ଦ୍ବିତୀୟ ବୃହତ୍ତମ ହ୍ରଦ ନୀଳାମ୍ବୁ ଚିଲିକାର ମନଲୋଭା ସୈାନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ତଥା ବିଶ୍ବର କୋଣ ଅନୁକୋଣରୁ ପ୍ରକୃତିପ୍ରେମୀମାନେ ଆସିଥାନ୍ତି। ଶୀତଦିନେ ସୁଦୂର ସାଇବେରିଆ ଠାରୁ ଆରମ୍ଭ କରି କାଜାକିସ୍ଥାନ, ବୁଲଗେରିଆ, ଲଦାକ୍, ଇରାନ ଆଦି ଦେଶରୁ ରଙ୍ଗବେରଙ୍ଗ ପକ୍ଷୀଙ୍କର ଚିଲିକାକୁ ଆଗମନ ଏହାର ଶୋଭାକୁ ବହୁଗୁଣିତ କରିଥାଏ। ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଚିଲିକା ଏବେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରଦୂଷିତ ହେବା ସହ ଚମକ ହରାଇଚାଲିବା ଘଟଣା ପରିବେଶବିତମାନଙ୍କୁ ମର୍ମାହତ କରିଛି। ଅପରପକ୍ଷେ, ଏହାକୁ ଶ୍ରୀହୀନ କରୁଥିବା ନଳଘାସ ପ୍ରାୟ ୫୦ବର୍ଗ କିଲୋମିଟର ପର୍ଯ୍ୟନ୍ତ ଗ୍ରାସ କରିସାରିଥିବାରୁ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀମାନେ କୌଳିକ ପେସା ଛାଡ଼ି ଦାଦନ ଖଟିବାକୁ ବାଧ୍ୟ ହୋଇଛନ୍ତି।
ସୂଚନାନୁଯାୟୀ, ପୁରୀ, ଖୋର୍ଧା ଓ ଗଞ୍ଜାମ ଜିଲ୍ଲାର ୧୧୦୦ବର୍ଗ କିମି ବ୍ୟାପୀ
Sambad is now on WhatsApp
Join and get latest news updates delivered to you via WhatsApp
ବିଶାଳ ଚିଲିକା ଉପରେ ୧୪୭ଟି ଗ୍ରାମର ପ୍ରାୟ ୫୦ହଜାର ପରିବାରର ୨ଲକ୍ଷରୁ ଅଧିକ ଜନସାଧାରଣ ମାଛ ମାରିବା ପାଇଁ ନିର୍ଭର କରନ୍ତି। ତେବେ ୧୯୬୮ମସିହା ବନ୍ୟା ପରେ ଏଠାରେ ପ୍ରଥମେ ଦେଖାଦେଇଥିବା ନଳଘାସ କ୍ରମେ ମାଡ଼ିମାଡ଼ ଚିଲିକାରେ କୃତିମ ଜଙ୍ଗଲ ସୃଷ୍ଟି କରିବା ସହ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସୋରଣ, ହାଟବରଡ଼ି ଠାରୁ ଚିଲିକାର ଉତ୍ତର ପୂର୍ବ ଉପକୂଳରେ ତାହା ମାଡ଼ି ଆସି ମୁକ୍ତେଶ୍ବର, କାଳୁପଡ଼ାଘାଟ, ଭୂଷଣ୍ତପୁର, ବଳଭଦ୍ରପୁର, ସୁଭଦ୍ରାପୁର, ଜଗନ୍ନାଥପୁର ଦେଇ ପୁରୀ ଜିଲ୍ଲା ବୋରଗକୁଦୀ ପର୍ଯ୍ୟନ୍ତ ବ୍ୟାପିଯାଇଛି। ଫଳରେ ଡଙ୍ଗା ବାହି ମାଛ ମାରୁଥିବା ଏହି ମତ୍ସ୍ୟଜୀବୀଙ୍କ ପାଇଁ ଏହି ନଳଘାସ ଜଙ୍ଗଲ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଏଣେ ନଳଘାସ ଉଚ୍ଛେଦ ଦିଗରେ ସରକାରଙ୍କ ଉଦାସୀନତା ଯୋଗୁଁ ନଳ ଜଙ୍ଗଲରେ ଶହ ଶହ ହେଟାବାଘ, ଶାଳିଆ ପତନି, ଅଜଗର ସାପ ସମେତ ବିଭିନ୍ନ ସରୀସୃପଙ୍କ ବଂଶବୃଦ୍ଧି ମତ୍ସ୍ୟଜୀବୀ ଓ ବିଦେଶାଗତ ପକ୍ଷୀଙ୍କ ପାଇଁ ବିପଦ ସାଜିଛି। ଅପରପକ୍ଷେ, କିଛି ମାଛ ମାଫିଆ ବିହାର, ଝାଡ଼ଖଣ୍ତ, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ଲୋକଙ୍କୁ ଆଣି ବିନା ପଞ୍ଜୀକରଣରେ ଛୋଟ ଛୋଟ ଡଙ୍ଗାରେ ଅତି ମୂଲ୍ୟବାନ ମାଛମାରି ବାହାରକୁ ଚାଲାଣ କରୁଛନ୍ତି। ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀ ନିଜର ଜୀବିକା ହରାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଅପରପକ୍ଷେ, ଏହି ନଳଘାସର ବ୍ୟାପକତା ଯୋଗୁଁ ଚିଲିକା ଅଚିରେ ପୋତି ହୋଇ ଜୈବ ବିବିଧତା ହରାଇବ ବୋଲି ପରିବେଶବିତମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଚିଲିକାର ସୌନ୍ଦର୍ଯ୍ୟ ବଜାୟ ରଖିବା ସହ ଲକ୍ଷାଧିକ ମତ୍ସ୍ୟଜୀବୀଙ୍କ ପେଟପାଟଣାକୁ ଦୃଷ୍ଟିରେ ରଖି ନଳଘାସ ଜଙ୍ଗଲ ହ୍ରାସ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି