ଛାତରୁ ଠେଲି ନବବଧୂକୁ ହତ୍ୟା!

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଗଡ଼ଶ୍ରୀରାମପୁରସ୍ଥିତ ବର୍ଷା ରିଭେରା ନାମକ ଏକ ଆପାର୍ଟମେଣ୍ଟରେ ପ୍ରିୟଦର୍ଶୀ ରଥଙ୍କ ପତ୍ନୀ ପ୍ରିୟମ୍ବଦା ରଥଙ୍କ (୨୫) ସନ୍ଦେହଜନକ ମୃତ୍ୟୁ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଛାତ ଉପରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଫ୍ଲାଟ୍‌ର ବାଲକୋନି ଛାତରୁ ତଳକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ପ୍ରିୟଦର୍ଶୀ ପୁଲିସ ଆଗରେ ବୟାନ୍‌ ଦେଇଛନ୍ତି। ଅନ୍ୟପକ୍ଷରେ ଅଧିକ ଯୌତୁକ ଦାବି କରି ଝିଅକୁ ସ୍ୱାମୀ ପ୍ରିୟଦର୍ଶୀଙ୍କ ସମେତ ପରିବାରର ଅନ୍ୟମାନେ ଛାତ ଉପରୁ ତଳକୁ ଠେଲି ହତ୍ୟା କରିଛନ୍ତି ବୋଲି ପ୍ରିୟମ୍ବଦାଙ୍କ ବାପା ପ୍ରଶାନ୍ତ ମଲ୍ଲ ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଶାନ୍ତଙ୍କ ଅଭିଯୋଗକୁ ଭିତ୍ତି କରି ବାଲିଅନ୍ତା ଥାନାରେ କେସ୍‌ ନମ୍ବର ୨୮୬/୧୭ରେ ପୁଲିସ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ବାଳକାଟି ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ପ୍ରଫୁଲ୍ଲ ସାହୁଙ୍କ ସୂଚନାନୁସାରେ ଗତ ଏପ୍ରିଲ ୨୮ ତାରିଖରେ ପୁରୀ ଦୋଳମଣ୍ଡପ ସାହି (ଜେନାରିଗଛ)ର ପ୍ରକାଶ ଚନ୍ଦ୍ର ରଥଙ୍କ ପୁଅ ପ୍ରିୟଦର୍ଶୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଗୌଡ଼ବଡ଼ପୁର ଗ୍ରାମର ପ୍ରଶାନ୍ତ ମଲ୍ଲଙ୍କ ଝିଅ ପ୍ରିୟମ୍ବଦାଙ୍କୁ ବିବାହ କରିଥିଲେ। ପ୍ରିୟଦର୍ଶୀ ଡିଜେ ସେଟ୍‌ ଓ ଟେଣ୍ଟ ବ୍ୟବସାୟ କରନ୍ତି। ୮ ମାସ ହେବ ଏହି ଆପାର୍ଟମେଣ୍ଟର ରୁମ୍‌ ନଂ ୧୦୧ରେ ତାଙ୍କ ବାପା, ମା’ ଓ ଭାଇଙ୍କ ସହ ରୁହନ୍ତିି। ହେଲେ ରବିବାର ବିଳମ୍ବିତ ରାତିରେ କାହାର ଚିତ୍କାର ଶୁଣି ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ବାହାରକୁ ଆସି ଦେଖିବା ବେଳକୁ ପ୍ରିୟମ୍ବଦା କ୍ୟାମ୍ପସ ପରିସରରେ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିଲେ। ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପ୍ରିୟମ୍ବଦାଙ୍କ ଶବକୁ ଶାଶୂଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ଅପରାହ୍‌ଣରେ ବାଲିଅନ୍ତା ଥାନା ଆଇଆଇସି ସୁଜିତ୍‌ କୁମାର ଦାଶଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚି ମାଜିଷ୍ଟ୍ରେଟ୍‌ ଅକ୍ଷୟ କୁମାର ରାଉତଙ୍କ ଉପସ୍ଥିତିରେ ତଦନ୍ତ କରିଥିଲେ। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅପରପକ୍ଷରେ ନବବିବାହିତ ଝିଅର ଏଭଳି ମୃତ୍ୟୁକୁ ତାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରି ପାରିନାହାନ୍ତି। ଅଧିକ ଯୌତୁକ ଆଣିବାକୁ ଦାବି କରି ଶାଶୂଘର ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ହେଲେ ପ୍ରିୟମ୍ବଦା ଅକ୍ଷମତା ପ୍ରକାଶ କରିବାରୁ ସ୍ୱାମୀ ପ୍ରିୟଦର୍ଶୀଙ୍କ ସହ ଶାଶୂଘର ଲୋକ ପ୍ରିୟମ୍ବଦାକୁ ଛାତ ଉପରୁ ଠେଲି ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ପ୍ରଶାନ୍ତ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର