ଟାଙ୍ଗୀ ପଞ୍ଚାୟତ ପ୍ରତିନିଧିଙ୍କ ଧାରଣା ଜାରି

ଖୋର୍ଧା :  ଟାଙ୍ଗୀ ବ୍ଲକ୍‌ରେ ଚାଲିଥିବା ବିଭିନ୍ନ ଦୁର୍ନୀତି, ବିଡିଓଙ୍କର ମନମୁଖୀ କାର୍ଯ୍ୟ, ବିନା ପଲ୍ଲୀ ସଭାରେ ଓ୍ଵାର୍କ ଅର୍ଡର, ଖାଉଟି କାର୍ଡ ଦୁର୍ନୀତି, ଆମ ଗାଁ ଆମ ବିକାଶ  କାର୍ଯ୍ୟକ୍ରମରେ ଦୁର୍ନୀତି ଏପରିକି ଜିଲ୍ଲା ପ୍ରଶାସନର ପାତର ଅନ୍ତର ନୀତି ଓ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଅଣଦେଖା ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ଉପୁଜିବା ବିରୋଧରେ ଟାଙ୍ଗୀ ଜନ ଜାଗରଣ ମହାମେଣ୍ଟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି। ଜିଲ୍ଲା ପ୍ରଶାସନ ସେମାନଙ୍କର ଦାବିକୁ ଅଣଦେଖା କରିବା ପ୍ରତିବାଦରେ  ଓ ଗତକାଲି ବିକ୍ଷୋଭକାରୀମାନଙ୍କ ଉପରେ ପୁଲିସର ଆକ୍ରମଣ ଘଟଣାକୁ  ବିରୋଧ କରି ୧୨ ଜଣ ପଞ୍ଚାୟତ ପ୍ରତିନିଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲିଠାରୁ ଅନିର୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ଧାରଣାରେ ବସିଥିବା ପ୍ରତିନିଧିଙ୍କ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି  ଅଧିକାରୀ ଆଲୋଚନା କରି ନଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ତଥା ଖୋର୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେଶ କୁମାର ରାଉତରାୟ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଧାରଣାସ୍ଥଳକୁ ଆସି ସମର୍ଥନ ଜଣାଇଛନ୍ତି।

ଟାଙ୍ଗୀ ବ୍ଲକ୍‌ରେ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଅଣଦେଖା ଯୋଗୁଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଉପୁଜିବା ବିରୋଧରେ ଟାଙ୍ଗୀ ଜନ ଜାଗରଣ ମହାମେଣ୍ଟ ପକ୍ଷରୁ ଜିଲ୍ଲାପାଳଙ୍କୁ ଗତ ମାସ ୨୩ ତାରିଖରେ ଏକ ଦାବିପତ୍ର କରାଯାଇଥିଲା। ୧୫ ଦିନ ମଧ୍ୟରେ ଏ ସବୁ ସମସ୍ୟାର ସାମାଧାନ କରାନଗଲେ ଏବଂ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନ୍ୟାୟ ନ ମିଳିଲେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି  ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା। ଇତି ମଧ୍ୟରେ ୧୫ ଦିନ ବିତି ଯାଇଥିଲେ ମଧ୍ୟ କୋଣସି ସୁଫଳ ନ ମିଳିବାରୁ ମଙ୍ଗଳବାର ଟାଙ୍ଗୀ ବ୍ଲକ୍‌ ଜନ ଜାଗରଣ ମହାମେଣ୍ଟ ପକ୍ଷରୁ ହଜାରରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ମଙ୍ଗଳବାର ଖୋର୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।  ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବାକୁ ଯିବା ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।  ଏଥିରେ ୬ ଜଣ ବିକ୍ଷୋଭକାରୀ ଆହତ ହୋଇଥିଲେ। ତେବେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି  ନିରାକାରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ସମିତି ସଭ୍ୟ ବିପିନି କୁମାର ଜୟସିଂହ (ବାଉ)ଙ୍କ ନେତୃତ୍ୱରେ ଖୋର୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ୍‌ ର ୧୨ଜଣ ସମିତି ସଭ୍ୟ ଓ ୫ଜଣ ସରପଞ୍ଚ  ଓ ଜଣେ ଜିଲ୍ଲା ପରିଷଦ ସଭ୍ୟା ଗଣାଧାରଣାରେ ବସିଛନ୍ତି। ଜୋନ୍‌ ଜିଲ୍ଲାପରିଷଦ ମମତା ଜେନାଙ୍କ ସମେତ ଯୁଧିଷ୍ଠିର ସାହୁ, ରୀତାଞ୍ଜଳି ରାଉତରାୟ, ରୀନା ସାସମଲ, ଶାନ୍ତିଲତା ଜେନା, ରାଜକିଶୋର ନାୟକ, ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର