ଚିଙ୍ଗୁଡ଼ି ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେଲା ଚିପସ୍‌ ଆଣିବାକୁ ଯାଉଥିବା ଟ୍ରକ୍‌, ୬ ଗୁରୁତର

ଖୋର୍ଦ୍ଧା/ଜଟଣୀ: ଚିଙ୍ଗୁଡ଼ି ବୋଝେଇ ଟ୍ରକ ସହିତ ଚିପସ୍‌ ଆଣିବାକୁ ଯାଉଥିବା ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ୬ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ବାଲୁଗାଁରୁ ପିପିଲିକୁ ଚିଙ୍ଗୁଡ଼ି ନେଇ ଆସୁଥିବା ଟ୍ରକ(ଓଡି ୦୨ଜେଡ ୮୯୨୦) ଖୁଦପୁର ନିକଟ ଆଇଆଇଟି ଛକ ନିକଟରେ ଆଜି ସକାଳୁ ପିପିଲିରୁ ତାପଙ୍ଗ ଆଡ଼କୁ ଚିପସ୍‌ ଆଣିବାକୁ ଯାଉଥିବା ଟ୍ରକ (ଓଆର ୦୯ଇ ୦୦୮୯)କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ଚିଙ୍ଗୁଡ଼ି ଆସୁଥିବା ଟ୍ରକରେ ୨ଜଣ ଡ୍ରାଇଭର ଓ ଜଣେ ହେଲପର ଥିବା ବେଳେ ଖାଲି ଥିବା ଟ୍ରକରେ ଜଣେ ଡ୍ରାଇଭର ଓ ୨ଜଣ ହେଲପର ଥିଲେ। ଦୁର୍ଘଟଣାସ୍ଥଳରେ ୬ ଜଣ ଯାକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଖୋର୍ଦ୍ଧା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର